ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାବୁଡ଼ସ୍ଥିତ ଟିପିଏସ୍ଏଲ୍ କାରଖାନାରେ ବ୍ଲାଷ୍ଟ ଫରନେସରେ ବିସ୍ଫୋରଣ ହେବାରୁ ୭ ଜଣ ଶ୍ରମିକ ଗୁରୁତର ଆହତ ଓ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଆହତ ଶ୍ରମିକମାନେ ଆନନ୍ଦ ସାହୁ(୪୫), ଗଣେଶ ସିଂ(୪୦), ମନବୋଧ ମହାନ୍ତ(୩୦), ରବିଶଙ୍କର(୪୦), ରଞ୍ଜିତ ସିଂ(୩୨), ସୁମନ୍ତ ମାଝୀ(୨୪), ଶହଦେବ ପଟେଲ(୩୦) ବୋଲି ଜଣାପଡିଛି। ସେମାନଙ୍କୁ ପ୍ରଥମେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଡ଼ା ଜଳା ବିଭାଗ ନଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ରାଉରକେଲା ସ୍ଥିତ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜଗଦୀଶ ଚନ୍ଦ୍ର ବାରିକ କହିଛନ୍ତି। ତେବେ ସାମାନ୍ୟ ଆହତ ହୋଇଥିବା ଅନ୍ୟ ୨ ଜଣ ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇ ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ଣରେ ଇଣ୍ଡକସନ୍ ଫରନେସରୁ ମଲଟେନ ମେଟାଲ ନେବା ସମୟରେ ବ୍ଲାଷ୍ଟ ଫରନେସ ଚାରିପଟେ ଥିବା ମାଟି ଖସିପଡିଥିଲା। ଫଳରେ ଫରନେସ ଭିତରେ ଥିବା ଗରମ ମଲଟେନ ମେଟାଲ ଫାଟି ଚାରିପଟେ ଛିଟିକି ପଡି ଆଖପାଖରେ କାମ କରୁଥିବା ୯ ଜଣ ଶ୍ରମିକଙ୍କ ଉପରେ ପଡ଼ିଥିଲା। ଏନେଇ ଝାରସୁଗୁଡ଼ା ବଏଲର ଇନ୍ସପେକ୍ଟର ଅନିଲ ନନ୍ଦଙ୍କୁ ପଚାରିବାରୁ କହିଛନ୍ତି ବର୍ତ୍ତମାନ ଟିପିଏସ୍ଏଲର ଫରନେସକୁ ସିଲ କରାଯାଇଛି। ଏହାସହ ଘଟଣାସ୍ଥଳକୁ ଯାଇ ତଦନ୍ତ କଲାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।