ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ମାମଲାରେ ବିଜେପିର ଆନ୍ଦୋଳନ ପ୍ରତ୍ୟାହୃତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଗତକାଲିଠାରୁ ପାଟଣାଗଡ଼ ଥାନା ଆଗରେ ବିଜେପି କର୍ମୀ ଓ ନେତା ଧାରଣା ଦେଉଥିଲେ । ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂଦେଓ ଅହୋରାତ୍ର ଥାନା ଆଗରେ ଧାରଣା ଦେଇଥିଲେ । ଏସପି ଆସି ଆଲୋଚନା କରିବା ପରେ ହିଁ ଧାରଣା ପ୍ରତ୍ୟାହୃତ ହେବ ବୋଲି ଶ୍ରୀ ସିଂଦେଓ କହିଥିଲେ । ରାତି ତମାମ ବିଜେପି କର୍ମୀ ଓ ନେତା ଥାନା ଆଗରେ କୀର୍ତ୍ତନ କରିଥିଲେ । ଆଜି ଧାରଣାର ୨ୟ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହୋଇଥିଲା । ଜିଲ୍ଲା ସଭାପତିଙ୍କ ସହ ବହୁ ଜିଲ୍ଲାସ୍ତରୀୟ ନେତା ଧାରଣାରେ ବସିଥିଲେ । ବଣିକ ସଂଘ ଓ ସିଟିଜେନ କମିଟି ଧାରଣାକୁ ସମର୍ଥନ ଜଣାଇଥିଲେ । ପରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପାଇଁ ଅତିରିକ୍ତ ଏସପି ସୁରେଶ ନାୟକ ଆସିଥିଲେ । ଇତିମଧ୍ୟରେ ଅନେକ ମହିଳା କର୍ମୀ ମହିଳା ପୁଲିସ କର୍ମଚାରୀଙ୍କୁ ଚୁଡ଼ି ପିନ୍ଧାଇବାକୁ ଉଦ୍ୟମ କରିଥିଲେ । ଅସନ୍ତୋଷକୁ ପ୍ରସମିତ କରିବା ପାଇଁ ଶେଷରେ ବଲାଙ୍ଗିର ଏସପି ନିତିନ କୁଶଳ ଡାଗୁଡୁ ଆସି ଆନ୍ଦୋଳନକାରୀଙ୍କ ସହିତ ସହରରେ ହୋଇଥିବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିଷୟରେ ଆଲୋଚନା କରିବା ସହ ଯଥାଶୀଘ୍ର ସମାଧାନ କରାଯିବ ବୋଲି କହିଥିଲେ । କିନ୍ତୁ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି । ଏଥିରେ ଜିଲ୍ଲା ବିଜେପି ସଭାପତି ଶିବାଜ ମହାନ୍ତି, ଲକ୍ଷଣ ବାଗ, ମୁକେଶ ଜୈନ, ଅମିତ ସିଂ ନିନା, ମହିଳା ନେତ୍ରୀ ପଙ୍କଜିନି ପଣ୍ଡା, ମାଧବ ସାଏ, କରମ ସିଂ ସରାଫ, ପ୍ରବୀଣ ଅଗ୍ରୱାଲ ଓ ଦେବକାନ୍ତ ପାଣିଗ୍ରାହୀଙ୍କ ସମେତ ବଣିକ ସଂଘର କର୍ମର୍କର୍ତ୍ତା ଓ ସିଟିଜେନ କମିଟିର ସଭ୍ୟମାନେ ଉପସ୍ଥିତ ଥିଲେ ।