ହରିୟାଣା ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା

ଚଣ୍ଡିଗଡ଼,ଏଜେନ୍ସି: ହରିୟାଣାରେ କ୍ଷମତାସୀନ ବିଜେପି ଓ ଜେଜେପି ମେଣ୍ଟକୁ ବଡ଼ ଝଟକା ଲାଗିଛି। ରାଜ୍ୟରେ ନଗର ପୌରପାଳିକା ନିର୍ବାଚନରେ ତିନୋଟିରୁ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି ବିଜେପି। ରବିବାର ଅମ୍ବାଲା, ପଞ୍ଚକୁଲା ଓ ସୋନିପତ ସହରରେ ମେୟର ଆସନ ପାଇଁ ନିର୍ବାଚନ ହୋଇଥିଲା। ପଞ୍ଚକୁଲା ଆସନ ଜିତିବା ପାଇଁ ବିଜେପିକୁ ସଂଘର୍ଷ କରିବାକୁ ପଡ଼ିଥିଲା। କଂଗ୍ରେସ ଓ ହରିୟାଣା ଜନ ଚେତନା ପାର୍ଟି ଯଥାକ୍ରମେ ସୋନିପତ୍ ଓ ଅମ୍ବାଲାରେ ବିଜୟ ହାସଲ କରିଛନ୍ତି। ପ୍ରଥମଥର ଲାଗି ତିନୋଟି ସହରରେ ମେୟର ପଦବୀ ଲାଗି ସିଧାସଳଖ ନିର୍ବାଚନ ହୋଇଛି। ହରିୟାଣାରେ ଦୁଇବର୍ଷ ତଳେ ୫ଟି ସହରରେ ହୋଇଥିବା ପୌରପାଳିକା ନିର୍ବାଚନରେ ବିଜେପିକୁ ବିଜୟ ମିଳିଥିଲା।

୨୦୧୮ରେ ହିସାର, କର୍ନାଲ, ପାନିପତ୍, ରୋହତକ ଓ ଯମୁନାନଗରରେ ହୋଇଥିବା ମେୟର ନିର୍ବାଚନରେ ବିଜେପି ବିଜୟ ହୋଇଥିଲା। ଅମ୍ବାଲା ମେୟର ଆସନ ପାଇଁ ହୋଇଥିବା ନିର୍ବାଚନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିନୋଦ ଶର୍ମାଙ୍କ ପତ୍ନୀ ତଥା ହରିୟାଣା ଜନଚେତନା ପାର୍ଟି (ଏଚଜେସିପି)ର ପ୍ରାର୍ଥୀ ଶକ୍ତି ରାଣୀ ଶର୍ମା ବିଜୟୀ ହୋଇଛନ୍ତି। ସେହିପରି ବିଜେପିର କୁଲଭୂଷଣ ଗୋୟଲ ପଞ୍ଚକୁଲାରେ ବିଜୟ ହୋଇଛନ୍ତି। ସେ କଂଗ୍ରେସର ଉପିନ୍ଦର କୌରଙ୍କୁ ୨୦୫୭ ଭୋଟରେ ହରାଇଛନ୍ତି। ସୋନିପତରେ କଂଗ୍ରେସ ପାର୍ଟିର ନିଖିଲ ମଦାନ ବିଜେପିର ଲଲିତ ବାତ୍ରାଙ୍କୁ ୧୩,୮୨୮ ଭୋଟରେ ପରାସ୍ତ କରି ମେୟର ଆସନ ଜିତିଛନ୍ତି।