ରାଜ୍ୟସଭାର ସସ୍ମିତଙ୍କ ଦାବି, ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ନିର୍ମାଣ ପାଇଁ ସରକାର ଜମି ଯୋଗାଇ ଦିଅନ୍ତୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିଲ୍ଲୀରେ ଓଡ଼ିଶା ସଂସ୍କୃତି କେନ୍ଦ୍ର ଓ ଲାଇବ୍ରେରୀ ପାଇଁ ଉପଯୁକ୍ତ ଜାଗା ଦେବାକୁ ରାଜ୍ୟସଭାରେ ବିଜେଡି ଦାବି ରଖିଛି। ମଙ୍ଗଳବାର ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ରାଜ୍ୟସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଏହି ପ୍ରସଙ୍ଗ ଉଠାଇଛନ୍ତି ।
ନିଜ ବକ୍ତବ୍ୟରେ ସେ କହିଛନ୍ତି ଯେ ଦିଲ୍ଲୀରେ ଓଡିଶା ସଂସ୍କୃତି କେନ୍ଦ୍ର ଓ ଲାଇବ୍ରେରୀ ପାଇଁ ଉପଯୁକ୍ତ ସ୍ଥାନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ୨୦୧୯ ଡିସେମ୍ବର ୭ ତାରିଖରେ ଚିଠି ଲେଖି ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ୯ ମାସ ବିତିଯାଇଥିବାବେଳେ କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେଇନାହାନ୍ତି। ତେଣୁ ଏନେଇ ସରକାର ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସସ୍ମିତ ଗୃହରେ ଦାବି କରିଛନ୍ତି। ସୂଚନାଥାଉକି, ଦିଲ୍ଲୀରେ ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ପରି ଅନେକ ରାଜ୍ୟର ସଂସ୍କୃତିର ବିକାଶ ପାଇଁ ଉପରୋକ୍ତ ରାଜ୍ୟଗୁଡ଼ିକୁ ଦିଲ୍ଲୀରେ ଜମି ଯୋଗାଇ ଦିଆଯାଇଛି। ଯାହାଫଳରେ ଉପରୋକ୍ତ ରାଜ୍ୟଗୁଡ଼ିକ ସଂସ୍କୃତି ଭବନ ନିର୍ମାଣ କରି ସେମାନଙ୍କର କଳା, ସଂସ୍କୃତି ଓ ଐତିହର ପ୍ରଚାର ପ୍ରସାର କରିବାରେ ସଫଳ ହୋଇଛନ୍ତି। ଓଡ଼ିଶାର ଓଡ଼ିଆ ଭାଷାକୁ ୬ଟି ଶାସ୍ତ୍ରିୟ ଭାଷା ମଧ୍ୟରେ ସ୍ଥାନ ମିଳିଥିବା ବେଳେ ହସ୍ତତନ୍ତ, କଳା, ଭାସ୍କର, ପ୍ରାଚୁର୍ଯ୍ୟ ଏବଂ ନିଆରା ସଂସ୍କୃତିକୁ ପାଇଁ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ତେଣୁ ରାଜ୍ୟର ସଂସ୍କୃତି ଏବଂ କଳାର ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ଦିଲ୍ଲୀରେ ଉପଯୁକ୍ତ ସ୍ଥାନ ପ୍ରଦାନ କରନ୍ତୁ । ଯାହାଫଳରେ ରାଜ୍ୟ ନିଜର ସଂସ୍କୃତି କେନ୍ଦ୍ର ଓ ଲାଇବ୍ରେରୀ ନିର୍ମାଣ କରିପାରିବ ବୋଲି ସାଂସଦ ଡ. ପାତ୍ର ନିଜ ଚିଠିରେ ଉଲ୍ଲେଖ କରିଥିଲେ।