ଡାକ୍ତରଖାନା ବାରଣ୍ଡାରେ ପତ୍ନୀଙ୍କ ଆଗରେ ଆଖିବୁଜିଲେ ସ୍ୱାମୀ

ଢେଙ୍କାନାଳ,ଏନ୍ଏନ୍ଏସ୍: ଡାକ୍ତରଖାନାରେ ମିଳିଲାନି ଚିକିତ୍ସା ସେବା। ଫଳରେ ସ୍ତ୍ରୀଙ୍କ ଆଖି ସାମ୍ନାରେ ଚାଲିଗଲା ସ୍ୱାମୀଙ୍କ ଜୀବନ। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ।  ସର୍ବସାଧାରଣରେ ବ୍ୟକ୍ତି ଜଣଙ୍କ ପଡ଼ି ଯାଇଥିଲେ ମଧ୍ୟ କେହି ବି ଜଣେ ସହାୟତା କରିବା ପାଇଁ ଆଗେଇ ଆସି ନଥିଲେ। ତାଙ୍କ ପତ୍ନୀ ଅସହାୟ ଅବସ୍ଥାରେ ଛାତିକୁ ପମ୍ପିଂ କରିଥିଲେ ମଧ୍ୟ କିଛି ସୁଫଳ ମିଳିଲାନି। ଶେଷରେ ସର୍ବସାଧାଣରେ ବ୍ୟକ୍ତି ଜଣଙ୍କ ଶେଷ ନିଶ୍ୱାସ ତ୍ୟାଗ କଲେ ।
ପ୍ରକାଶ ଯେ, ଅନୁଗୁଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ ଢେଙ୍କାନାଳ ଜିଲ୍ଲା ନାଧରା ଗ୍ରାମର ସୁଶାନ୍ତ ପୃଷ୍ଟିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେ ଛୁଟି ନେଇ ନିଜ ଗ୍ରାମକୁ ଫେରି ପତ୍ନୀଙ୍କ ସହ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଥିଲେ। ଡାକ୍ତର ତାଙ୍କୁ କରୋନା ଟେଷ୍ଟ କରିବା ପାଇଁ ପଠାଇଥିଲେ। କୋଭିଡ୍ ଟେଷ୍ଟ ପାଇଁ ଧାଡ଼ିରେ ନିଜ ପତ୍ନୀ ସହିତ ଠିଆ ହୋଇଥିବା ସୁଶାନ୍ତଙ୍କ ଅବସ୍ଥା ସାଂଘାତିକ ହୋଇପଡ଼ିବାରୁ ସୁଶାନ୍ତଙ୍କ ପତ୍ନୀ ତାଙ୍କୁ ଡାକ୍ତରଙ୍କ ନିକଟକୁ ନେବାପାଇଁ ଚେଷ୍ଟା କରୁଥିବା ବେଳେ ସ୍ୱାମୀ ସୁଶାନ୍ତ ଓପିଡି ବାରଣ୍ଡାରେ ଟଳି ପଡ଼ିଥିଲେ। ସୁଶାନ୍ତଙ୍କ ପତ୍ନୀ ବାରଣ୍ଡାରେ ଠିଆ ହୋଇଥିବା ମେଡିକାଲର ଅନ୍ୟ କର୍ମଚାରୀ ଓ ଡାକ୍ତରଙ୍କୁ ସ୍ୱାମୀଙ୍କର ଚିକିତ୍ସା ପାଇଁ ନେହୁରା ହେଉଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିଲେ। ନିରାଶ ହୋଇ ସୁଶାନ୍ତଙ୍କ ପତ୍ନୀ ନିଜ ସ୍ୱାମୀଙ୍କର ଛାତିକୁ ପମ୍ପିଂକରି ସ୍ୱାମୀଙ୍କର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଚାହୁଁ ଚାହୁଁ ଆଖିଆଗରେ ସ୍ୱାମୀଙ୍କର ଜୀବନ ଦୀପ ଲିଭିଯାଇଥିଲା। ଏହି ଘଟଣା ମୁଖ୍ୟ ଚିକିତ୍ସାଳୟର ଓପିଡି ବାରଣ୍ଡାରେ ଘଟିଥିଲେ ମଧ୍ୟ ସମସ୍ତେ ଏହି ଘଟଣାକୁ ଚପାଇ ଦେବାପାଇଁ ଉଦ୍ୟମ ଆରମ୍ଭ କରିଦେଇଥିଲେ। ମାତ୍ର କୌଣସି ଜଣେ ବ୍ୟକ୍ତି ଏହି ଘଟଣାର ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ କରିଥିଲେ। ଏ ସମ୍ପର୍କରେ ମୁଖ୍ୟ ଚିକିତ୍ସାଧିକାରିଣୀ ଡା.ସୁଜାତାରାଣୀ ମିଶ୍ରଙ୍କୁ ପଚାରିବାରୁ ସେ ଘଟଣା ବିଷୟରେ ଜାଣିନଥିବା ଏବଂ ସୋସିଆଲ ମିଡିଆରୁ ଦେଖିବାରୁ ଜାଣିଲି ବୋଲି କହିଛନ୍ତି। ଅପରପକ୍ଷେ ଏହାର ତଦନ୍ତ କରି ଅବହେଳା ପ୍ରଦର୍ଶନ କରିଥିବା କର୍ମର୍ଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।