ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କୁଶପୁତ୍ତଲିକା ଦାହ କରି ବିଜେପିର ବିକ୍ଷୋଭ ପ୍ରଦର୍ଶନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲାସ୍ଥିତ ମହାଲିଙ୍ଗ ସନସାଇନ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କୁଶପୁତ୍ତଳିକା ଦାହ କରି ମମିତା ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ବିଜେପି ଦାବି କରିଛି। ମୁଖ୍ୟମନ୍ତ୍ରୀ ନାରୀ ସଶକ୍ତିକରଣର ନାରା ଦେଉଥିବାବେଳେ ତାଙ୍କରି ଦଳର ମନ୍ତ୍ରୀମାନେ ନାରୀଙ୍କ ଉପରେ ଅତ୍ୟାଚାର, ଯୌନ ଶୋଷଣ ସହ ହତ୍ୟା ଘଟଣାରେ ସମ୍ପୃକ୍ତ ରହୁଛନ୍ତି। ତେଣୁ ପ୍ରଥମେ ସରକାର ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦରୁ ଏବଂ ଦଳରୁ ବହିଷ୍କାର କରନ୍ତୁ। ଏଥିସହିତ ମମିତାଙ୍କ ମୃତ୍ୟୁ ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ କରି ଏଥିରେ ସମ୍ପୃକ୍ତ ସମସ୍ତ ଅଭଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ବିଜେପି କହିଛି। ଯଦି ରାଜ୍ୟ ସରକାର ଯଥାଶୀଘ୍ର ଦିବ୍ୟଶଙ୍କରଙ୍କୁ ବହିଷ୍କାର କରିବା ସହ ମମିତାଙ୍କୁ ନ୍ୟାୟ ପ୍ରଦାନ ନକରନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ପ୍ରତ୍ୟେକ ଥାନା ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ, ଜିଲ୍ଲା ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ରୀନା ପଟେଲ, ମହେଶ୍ୱର ନାୟକ, କିରଣବାଲା ନାୟକ, ଟିକିନା ଧଲ, ହିନା ରୂପରେଳ, ସନ୍ତୋଷ କୌର, ମମତା ଦୀପ, ମଞ୍ଜରୀ ପୃଷ୍ଟି, ଜୟନ୍ତୀ ବଗର୍ତ୍ତି ଓ ପଦ୍ମିନୀ ମହାରଣା ପ୍ରମୁଖଙ୍କ ସହ ଜିଲ୍ଲା ବିଜେପିର ସଦସ୍ୟମାନେ ଉପସ୍ଥିତ ଥିଲେ।