ବିଜେପି ପକ୍ଷରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ବିଜେପି ପକ୍ଷରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶୋଭାଯାତ୍ରା ସ୍ଥାନୀୟ ଚାଉଁରିଆଗୁଡ଼ାରୁ ବାହାରି ପ୍ଲାକାର୍ଡ ଓ ବିଭିନ୍ନ ନାରା ଦେଇ ମାଁ ଭଣ୍ଡାରଘରଣୀଙ୍କ ମନ୍ଦିରରରେ ପହଞ୍ଚିଥିଲା । ମାଁ ଭଣ୍ଡାରଘରଣୀ ମନ୍ଦିର ସମ୍ମୁଖରେ ଏକ ପଥପ୍ରାନ୍ତ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଭିଜିଲାନ୍ସ ଗିରଫ କରିଥିବା ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ବହୁ ଅନୈତିକ ଅର୍ଥ କାରବାରରେ ଜଡ଼ିତ ଥିବା ନେଇ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଥିଲେ । ଭିଜିଲାନ୍ସ ଦ୍ୱାରା ଧରାପଡ଼ି ନିଲମ୍ବିତ ହୋଇଥିବା ଅଧିକାରୀଙ୍କୁ କିଭଳି ଭାବେ ପଦୋନ୍ନତି ଦେଇ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରଖା ଯାଇଥିଲା ଓ ଏହା ପଛରେ କାହାର ଆଶୀର୍ବାଦ ଥିଲା ବୋଲି ପ୍ରଶ୍ନ କରିବା ସହ ଏହା ତଦନ୍ତ ସାପେକ୍ଷ ବୋଲି ପୂର୍ବତନ ସାଂସଦ ପର୍ଶୁରାମ ମାଝୀ କହିଥିଲେ । ଅଭିଯୁକ୍ତ ରାଉତ ବିଜେଡିର ନିର୍ବାଚନ ପରିଚାଳନା ନିମନ୍ତେ ଚାନ୍ଦା ଆଦାୟ କରୁଥିଲେ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ ଅଭିଯୋଗ କରିଥିଲେ । ଶେଷରେ ଭ୍ରଷ୍ଟାଚାରୀ ପ୍ରଶାନ୍ତ ରାଉତ ଓ ୫ଟି ସଚିବ ଭି କେପାଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ନଗର ମଣ୍ଡଳ ସଭାପତି ଶ୍ରୀଧର ପାତ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶର୍ମିଷ୍ଠା ଦେଓ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଚନ୍ଦ୍ରଭାନୁ ନାୟକ, ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ, ସନ୍ତୋଷ ମହାପାତ୍ର, କାଉନସିଲର ମମତା ମହାରଣା, ଏ ସତିସ୍‌, ବରିଷ୍ଠ କାର୍ଯ୍ୟକର୍ତ୍ତା ସୁବ୍ରତ ମିଶ୍ର, ସରୋଜ ବେହେରା, ଶ୍ୟାମଲାଲ କଲାର, ଶୁଭମ ଚୌଧୁରୀ, ରାଜେନ୍ଦ୍ର ବିଷୋୟୀ, ଜିଲ୍ଲା ମିଡିଆ ପ୍ରଭାରୀ ଦେବଦାସ ମହାଙ୍କୁଡ଼ଙ୍କ ସହ ଜିଲ୍ଲାର ସହସ୍ରାଧିକ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।