ବିଜେଡି ପ୍ରାର୍ଥୀଙ୍କ ଚେହେରା ବଦଳିଛି, ଆଭିମୁଖ୍ୟ ବଦଳିନି: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପିପିଲି ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ଜୋରଦାର ପ୍ରଚାର ଅଭିଯାନ ଚଳାଇଥିବା ବେଳେ ଆଜି ନିର୍ବାଚନ ମଣ୍ଡଳୀରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ରାଇଗୁରୁପୁରଠାରେ ଦଳୀୟ ପ୍ରଚାର ସମୟରେ ଜଣେ ବିଜେପି ସମର୍ଥକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଶାସକ ଦଳ ବିଜେଡିର କର୍ମୀମାନେ ଏହି ଆକ୍ରମଣ କରିଥିବା ଦର୍ଶାଇ ଆଜି ପିପିଲି ଥାନା ସମ୍ମୁଖରେ ଧାରଣା ଦେଇଥିଲେ ବିଜେପି ନେତା ଏବଂ କର୍ମୀ। ବିଜେଡି ପିପିଲିରେ ପ୍ରାର୍ଥୀ ବଦଳାଇଛି ହେଲେ ହିଂସା ଆଭିମୂଖ୍ୟ ବଦଳାଇପାରିନି ବୋଲି କହିବା ସହ ଏଭଳି ଆଚରଣ ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଆଜି ଯେତେବେଳେ ପିପିଲି-ଡେଲାଙ୍ଗବାସୀ ହିଂସା ଓ ଅରାଜକତାକୁ ପ୍ରତ୍ୟାଖାନ କରି ବିକାଶ ସହ ଯୋଡ଼ି ହେବାପାଇଁ ମନ ସ୍ଥିର କରିସାରିଛନ୍ତି, ସେତେବେଳେ ଶାସକ ବିଜେଡି ପୁଣି ଥରେ ଚିରାଚରିତ ଭାବେ ‘ଭୟ ଓ ହିଂସା’କୁ ଅସ୍ତ୍ର ଭାବେ ଉପଯୋଗ କରି ନିର୍ବାଚନ ହାତେଇବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି। ଏହାକୁ ବରଦାସ୍ତ କରାଯିବନାହିଁ। ପିପିଲିର ଭୋଟର ଇଭିଏମରେ ଏହାର ଜବାବ ଦେବେ।