ପ୍ରତିମାସାରେ ନିଜ ସ୍କୁଲକୁ ହଜାରେ ଟଙ୍କା ଦେବେ ବିଏସ୍ଏଫ ଯବାନ

ବିରଳ ଉଦାହରଣ ସୃଷ୍ଟି କଲେ ହିମାଂଶୁ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ରାଜ୍ୟ ସରକାରଙ୍କ ଅଭିନବ ‘ମୋ ସ୍କୁଲ’ ଅଭିଯାନ କିଭଳି ସଫଳ ହେବାରେ ଲାଗିଛି ତା’ର ଏକ ନିଚ୍ଛକ ଉଦାହରଣ ସୋନପୁର ଜିଲ୍ଲାରେ ହିଁ ଦେଖିବାକୁ ମିଳିଛି। ସୀମା ସୁରକ୍ଷା ବାହିନୀ (ବିଏସଏଫ୍)ରେ କାର୍ଯ୍ୟରତ ଯବାନ ହିମାଂଶୁ ବିଶି ନିଜେ ପାଠ ପଢ଼ଥିବା ବିଦ୍ୟାଳୟ ପାଇଁ କିଛି କରିବାର ସ୍ୱପ୍ନ ଦେଖିଛନ୍ତି। ସେ ଚାକରିରୁ ଅବସର ନେବା ଯାଏ ନିଜ ଦରମାରୁ ୧୦୦୦ ଟଙ୍କା କରି ପ୍ରତ୍ୟେକ ମାସରେ ସ୍କୁଲକୁ ଦେବେ। ଏହି ଅର୍ଥ ସ୍କୁଲର ଉନ୍ନୟନମୂଳକ କାର୍ଯ୍ୟରେ ବିନିଯୋଗ ହେବ। ସୋନପୁର ଜିଲ୍ଲାର ବାଙ୍କିପଲ୍ଲୀ ପଞ୍ଚାୟତ ହାଇସ୍କୁଲରେ ହିମାଂଶୁ ପାଠ ପଢ଼ିଥିଲେ। ସେଠାରୁ ସେ ଉଚ୍ଚଶିକ୍ଷା କରି ପରେ ବିଏସଏଫରେ ଚାକିରି କରିଥିଲେ। ରାଜ୍ୟ ସରକାର ‘ମୋ ସ୍କୁଲ’ ଅଭିଯାନ ଆରମ୍ଭ କରିବା ପରେ ସେ ଏହାକୁ ସ୍ୱାଗତ କରିଥିଲେ। ଏବେ ମାସିକ ହଜାରେ ଟଙ୍କା ଦେବାକୁ ଘୋଷଣା କରିବା ପରେ ସ୍କୁଲ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି କହିଥିଲେ, ହିମାଂଶୁ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ସେ କେବଳ ଦେଶ ମାତୃକାର ସେବା ନୁହେଁ ରାଜ୍ୟ ତଥା ନିଜ ପାଠ ପଢ଼ିଥିବା ସ୍କୁଲର ଉନ୍ନତି ପାଇଁ ବଜ୍ର ଶପଥ ନେଇଛନ୍ତି। ତେଣୁ ରାଜ୍ୟବ୍ୟାପୀ ବିଭିନ୍ନ ସ୍ତରରୁ ଲୋକେ ଏହି ଭଳି ଉଦାହରଣ ସୃଷ୍ଟି କରିବା ଉଚିତ। ଫଳରେ ‘ମୋ ସ୍କୁଲ’ ଅଭିଯାନ ଆପେକୁ ଆପେ ସଫଳ ହେବ ବୋଲି ସେ ପ୍ରକାଶ କରିଥିଲେ।