ପୌର ନିର୍ବାଚନ ପାଇଁ ଇସିଙ୍କୁ ଭେଟିଲା ବିଜେପି

  • ଭୁବନେଶ୍ୱର: ପୌର ନିର୍ବାଚନକୁ ରାଜ୍ୟ ସରକାର ଦୀର୍ଘ ୩ବର୍ଷ ଧରି ଗଡ଼େଇବା ପରେ ମୁଖ୍ୟ ବିରୋଧୀ ଦଳ ବିଜେପିର ଏବେ ନିଦ ଭାଙ୍ଗିଛି। ବିଜେପି ଦୁଇଦିନ ତଳେ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଏନେଇ ଚରମବାଣୀ ଶୁଣାଇବା ପରେ ଆଜି ରାଜ୍ୟ ନିର୍ବାଚନ ଆୟୋଗ(ଇସି)ଙ୍କୁ ଭେଟି ଦାବିପତ୍ର ଦେଇଛି। ପୌର ନିର୍ବାଚନ କରାଇବା ପାଇଁ ରାଜ୍ୟ ନିର୍ବାଚନ କମିଶନ ସପ୍ତାହକ ମଧ୍ୟରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୁଅନ୍ତୁ, ନଚେତ୍ ବିଜେପି ଉଭୟ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଦେଇଛି।
    ବିଜେପି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଓକିଲ ପିତାମ୍ବର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ରାଜ୍ୟରେ ପୌର ନିର୍ବାଚନ କରିବା ପାଇଁ ରାଜ୍ୟ ସରକାରଙ୍କ ଅନିଚ୍ଛା ବିରୋଧରେ ୭ଦିନ ସୁଦ୍ଧା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି। ଯଦି ନିର୍ବାଚନ ଆୟୋଗ ପୌର ନିର୍ବାଚନ କରାଇବା ପାଇଁ ସରକାରଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ନହେବେ ତା’ହେଲେ ବିଜେପି ଆଗାମୀ ଦିନରେ ଆଇନର ସାହାଯ୍ୟ ନେବା ସହ ସାମ୍ବିଧାନିକ ବିଧି ଆଧାରରେ ମହାଅଭିଯୋଗ ପାଇଁ ସଂସଦରେ ପ୍ରସ୍ତାବ ଆଣିବ ବୋଲି ଶ୍ରୀ ଆଚାର୍ଯ୍ୟ ଚେତାବନୀ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଇଙ୍ଗିତରେ ରାଜ୍ୟ ନିର୍ବାଚନ ଆୟୋଗ ଭଳି ସାମ୍ବିଧାନିକ ସଂସ୍ଥା ସଖି କଣ୍ଢେଇ ନସାଜି ସମସ୍ତ ମର୍ଯ୍ୟାଦାର ସହ ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରନ୍ତୁ ବୋଲି ବିଜେପି କହିଛି। ବିଜେପି କହିଛି ଯେ, ସମ୍ବିଧାନର ଧାରା ୨୪୩ (ୟୁ) ଏବଂ ୨୪୩ (ଇ) ଅନୁଯାୟୀ ନିର୍ବାଚନ ଆୟୋଗ ସଠିକ୍ ସମୟରେ ନିର୍ବାଚନ କରିବା ବାଧ୍ୟତାମୂଳକ। କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟରେ ଗତ ୨୦୧୮ ସେପ୍ଟେମ୍ବର ମାସରୁ ପ୍ରାୟ ୩ ବର୍ଷ ପରେ ମଧ୍ୟ ପୌର ନିର୍ବାଚନ ହୋଇପାରିନାହିଁ। ପରାଜୟ ଆଶଙ୍କାରେ ଆତଙ୍କିତ ସରକାର ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ହାତବାରିସି କରି ଜନସାଧାରଣଙ୍କୁ ଅର୍ପିତ କ୍ଷମତାର ଦୁରୂପଯୋଗ କରିବା ସହ ରାଜ୍ୟରେ ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥା ଜାରି ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହି ପ୍ରତିନିଧି ଦଳରେ ବିଧାୟକ ପ୍ରକାଶ ସୋରେନ୍, ବିଜେପି ନେତା ଗୋଲକ ମହାପାତ୍ର, ଠାକୁର ରଞ୍ଜିତ ଦାସ, ଜଗନ୍ନାଥ ପ୍ରଧାନ, ଶଙ୍କର ପରିଡ଼ା, ଉର୍ମିଳା ମହାପାତ୍ର, ଲତିକା ପ୍ରଧାନ, ପ୍ରଶାନ୍ତ ଆଦିତ୍ୟ ପ୍ରମୁଖ ସାମିଲ ଥିଲେ।