ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମକୁ ବିଜେପିର ତୀବ୍ର ବିରୋଧ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧ କରିବା ପରେ ଘଟଣାକୁ ନେଇ ଅଧିକ ଆକ୍ରମଣାତ୍ମକ ହୋଇ ଉଠିଛି ବିଜେପି। ବୁଧବାର ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ସଂଶୋଧନ ଉଚ୍ଚ ଶିକ୍ଷା ବିରୋଧୀ ବୋଲି କହିଛନ୍ତି।

 ଲେଖାଶ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର କ୍ଷମତାର ଅପବ୍ୟବହାର କରି ସମସ୍ତ କ୍ଷେତ୍ରରେ ନିଜର ଆଧିପତ୍ୟ ଜାହିର୍ କରିବାର ଅପଚେଷ୍ଟା କରୁଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ। ଗତ ସେପ୍ଟେମ୍ବର ୪ ତାରିଖରେ ରାଜ୍ୟ ସରକାର ତରବରିଆ ଭାବେ ଏହି ଅଧିନିୟମକୁ ମଞ୍ଜୁରୀ ପ୍ରଦାନ କଲେ। ଏପରିକି ଏହି ଅଧିନିୟମ ପ୍ରସଙ୍ଗରେ କୌଣସି ବୁଦ୍ଧିଜୀବୀ, ଶିକ୍ଷାବିତଙ୍କ ସହ ଆଲୋଚନା ମଧ୍ୟ କରିଲେ ନାହିଁ। ଅନ୍ୟ ପଟେ ଏହି ଅଧିନିୟମ ପାସ୍ ନହେଉଣୁ ରାଜ୍ୟର ଶିକ୍ଷା ସଚିବ ବିଶ୍ୱବିଦ୍ୟାଳୟଗୁଡ଼ିକର ଦୈନନ୍ଦିନ କାର୍ଯ୍ୟରେ ହସ୍ତକ୍ଷେପ କରିବା ଆରମ୍ଭ କରିଦେଇଛନ୍ତି। ଏହାଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା କ୍ଷୁଣ୍ଣ ହେବା ସହ କୁଳାଧିପତିଙ୍କ ମର୍ଯ୍ୟାଦାର ହାନି ହେଉଛି ବୋଲି ସେ କହିଛନ୍ତି। ବିଶ୍ୱବିଦ୍ୟାଳୟମାନଙ୍କରେ କୁଳପତି ଚୟନ ପ୍ରକ୍ରିୟା ରାଜ୍ୟପାଳଙ୍କ ଦ୍ୱାରା ସ୍ଥିର ହୋଇଥିବା ସର୍ଚ୍ଚ କମିଟି ଜରିଆରେ ହୋଇଥାଏ। ଏଥିରେ ଶିକ୍ଷା ସଚିବଙ୍କ ଭୂମିକା ଆଦୌ ନାହିଁ। ମାତ୍ର ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ- ୨୦୨୦ ପାସ୍ ହେବା କ୍ଷଣି ୪ ତାରିଖ ଦିନ ରାଜ୍ୟର ଶିକ୍ଷା ସଚିବ ତତକ୍ଷଣାତ୍ ରାଜ୍ୟପାଳଙ୍କୁ ପତ୍ର ଲେଖି ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ପଦ ପାଇଁ ଆବେଦନକାରୀଙ୍କ ଦରଖାସ୍ତଗୁଡ଼ିକୁ ଦେବା ପାଇଁ କହିଥିଲେ। ଏହାର ୩ ଦିନ ପରେ ଅର୍ଥାତ ୭ ତାରିଖ ଦିନ ଶିକ୍ଷା ସଚିବ ଓପିଏସସିକୁ ପତ୍ର ଲେଖି ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଅଧ୍ୟାପକ ପଦପଦବୀ ଦରଖାସ୍ତକୁ ଅନୁଧ୍ୟାନ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଶିକ୍ଷା ସଚିବ ଗତକାଲି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଏବଂ କଣ୍ଟ୍ରୋଲର(ଅର୍ଥ)ଙ୍କୁ ପତ୍ର ଲେଖି ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ବାଧ୍ୟତା ଭାବେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଉକ୍ତ ଅଧିନିୟମରେ ସବୁ ନିୟମକୁ କାର୍ଯ୍ୟକାରୀ କରାଯିବାକୁ ନେଇ ଆଲୋଚନା ହେବାର ସ୍ଥିର ହୋଇଛି। ଆସନ୍ତା ୨୯ ତାରିଖରେ ବିଧାନସଭା ଅଧିବେଶନରେ ଆଲୋଚନା ନକରି ରାଜ୍ୟ ସରକାର କାହିଁକି ତରବରିଆ ଓ ଜୋରଜବରଦସ୍ତ ଭାବେ ଅଧିନିୟମକୁ କାର୍ଯ୍ୟକାରୀ କରିବାକୁ ପ୍ରଚେଷ୍ଟା କରୁଛନ୍ତି ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଶାସନିକ ଅଧିକାରୀମାନେ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ନେଲେ ସେଠାକାର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନା ହେବା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସହ ଅନୁଷ୍ଠାନର ମୁଖ୍ୟ ଜଣେ ପ୍ରଶାସନିକ ଅଧିକାରୀ ହେଲେ, ରାଜନୈତିକ ହସ୍ତକ୍ଷେପ ଓ ଚାପ କାରଣରୁ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାର ମାନ ହ୍ରାସ ପାଇବା ନେଇ ଆଶଙ୍କା ସୃଷ୍ଟି ହେଲାଣି। ତେଣୁ ରାଜ୍ୟରେ ଉଚ୍ଚ ଶିକ୍ଷାର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏହି ଅଧିନିୟମକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଡ.ସାମନ୍ତସିଂହାର ଦାବି କରିଛନ୍ତି।