ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

କଟକ,ଏନ୍ଏନ୍ଏସ୍: ବରିଷ୍ଠ ବିଜେପି ନେତା ତଥା ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଅଶୋକ ସାହୁଙ୍କ ପରଲୋକ ଘଟିଛି। ଆଜି କଟକ ପିଠାପୁର ସ୍ଥିତ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ସୂଚନା ଅନୁସାରେ ସେ ଗତ ୮ ତାରିଖ ଦିନ କଟକର ଏକ ଘରୋଇ ନର୍ସିଂହୋମରେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ଭୋର ୫ଟାରେ ତାଙ୍କର ଦେହାନ୍ତ ହୋଇଥିବା ଭାଇ ଅକ୍ଷୟ ସାହୁ ସୂଚନା ଦେଇଛନ୍ତି।

ଅଶୋକ ସାହୁ କୋରାପୁଟର ଜୟପୁରରେ ଜନ୍ମଗ୍ରହଣ କରିଥିଲେ। ସେ ପ୍ରଥମେ ଆସାମ କ୍ୟାଡରର ଆଇପିଏସ ଅଫିସର ହୋଇଥିଲେ। ଅତିରିକ୍ତ ପୁଲିସ ଡିଜି ଭାବେ କାମ କରିବା ପରେ ସେ ସ୍ୱେଚ୍ଛାକୃତ ଅବସର ନେଇ ଓଡ଼ିଶା ଫେରିଥିଲେ। ଏହାପରେ ବିଜେପିରେ ଯୋଗଦେଇଥିଲେ। ୨୦୦୯ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଓ ପରେ ୨୦୧୪ରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ଶ୍ରୀ ସାହୁଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।