କାର ପାର୍କିଂକୁ ନେଇ ସଂଘବଦ୍ଧ ଆକ୍ରମଣ: ବିଜେପି ନେତାଙ୍କ ମୃତ୍ୟୁ

ବାରିପଦା, ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୂଆସାହି କୁସୁମପୁର ଛକ ନିକଟରେ ଗତକାଲି ରାତି ପ୍ରାୟ ୧୦ରେ ଘଟିଛି ଏକ ଦୁଃଖଦାୟକ ଘଟଣା। ସାମାନ୍ୟ କାର ପାର୍କିଂକୁ ନେଇ ବଚସାରୁ ସଂଘବଦ୍ଧ ଆକ୍ରମଣରେ ବିଜେପି ନେତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପ୍ରଭାରୀ ରଞ୍ଜିତ କୁମାର ପ୍ରଧାନ(୪୮)। ସୂଚନା ଅନୁସାରେ, ଗତକାଲି ରାତିରେ ରଞ୍ଜିତ କାର ଚଳାଇ ନିଜ ଶ୍ୱଶୁର ନୂଆସାହିକୁ ଆସିଥିଲେ ଏବଂ ଶ୍ୱଶୁର ସମ୍ମୁଖରେ କାରକୁ ପାର୍କିଂ କରାଇବା ନିମନ୍ତେ ବାମରୁ ଡାହାଣକୁ ନେଇଥିଲେ। ଏହିସମୟରେ ପଛରୁ ଦୁଇଟି ବାଇକରେ ୪ ଜଣ ଯୁବକ ଆସି ଇଣ୍ଡିକେଟର ଲାଇଟ ନ ଦେଇ କାହିଁକି ରାସ୍ତାରେ ବାମରୁ ଡାହାଣକୁ କାର ଆଣିଲ ବୋଲି ପ୍ରଶ୍ନ କରିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ୪ ଜଣ ଯୁବକ ଉତକ୍ଷିପ୍ତ ହୋଇ କାର ଭିତରୁ ରଞ୍ଜିତଙ୍କୁ ବାହାରକୁ ଟାଣି ନେଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଖବରପାଇ ରଞ୍ଜିତଙ୍କ ଶ୍ୱଶୁର ଲୋକେ ଘଟଣାସ୍ଥଳରେ ପହଞ୍ଚି ପହଞ୍ଚି ରଞ୍ଜିତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ନେଇଥିଲେ ।

ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଖବର ପାଇ କାପ୍ତିପଦା ପୁଲିସ ପହଞ୍ଚି ଶବ ଜବତ କରି ଉଦଳା ଉପଖଣ୍ଡ ହସ୍ପିଟାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହିତ ୪ ଅଭିଯୁକ୍ତମାନଙ୍କୁ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ରହିଛି । ଆଜି ବାଲେଶ୍ୱର ବିଜେପି ଯୁବ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଉଦଳାରେ ପହଞ୍ଚି ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଶବ ବ୍ୟବଚ୍ଛେଦର ଭିଡ଼ିଓ ରେକଡ଼ିଂ କରାଯିବାର ଦାବି କରିଥିଲେ । ଅଭିଯୁକ୍ତ ୪ ଜଣଙ୍କ ମଧ୍ୟରେ ଜଣେ ଗାଡ଼ି ଡ୍ରାଇଭର ରହିଥିବା ବେଳେ ଅନ୍ୟ ତିନି ଜଣ ଦିନ ମଜୁରୀଆ ରହିଥିଲେ। ଏମାନେ ସମସ୍ତେ ନିଶାଗ୍ରସ୍ତ ରହିଥିବା ପୁଲିସ ସନ୍ଦେହ କରିଛି ।