ଅଭିନେତା ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ

କଟକ,ଏନ୍ଏନ୍ଏସ୍: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପରେ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। କଂଗ୍ରେସ ଓ ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଏବେ ବିଜେପି କରିଛି ପ୍ରାର୍ଥୀ ଘୋଷଣା। ଗତକାଲି ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିବା ପରେ ଆଜି କଟକ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଅଭିନେତା ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ ହୋଇଛନ୍ତି। ଶ୍ରୀତମ ଦାସଙ୍କ ନାଁ ଘୋଷଣା କରିଛନ୍ତି କଟକ ନଗର ବିଜେପି ସଭାପତି।

ଅନ୍ୟପଟେ ଡକ୍ଟର ସୁନୀତି ମୁଣ୍ଡଙ୍କୁ ଭୁବନେଶ୍ୱର ମେୟର ପ୍ରାର୍ଥୀ କରିଛି ବିଜେପି। ଏନେଇ ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଘୋଷଣା କରିଛନ୍ତି। ଜଣେ ଲେଖିକା ଭାବେ ସୁନୀତି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ସମ୍ବଲପୁର ୟୁନିଭର୍ସିଟିରୁ ଓଡ଼ିଆରେ ସ୍ନାତକୋତ୍ତର ହାସଲ କରିଛନ୍ତି।

ଅନ୍ୟପଟେ ଗତକାଲି ୩ ଟି ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ହୋଇଛନ୍ତି ମେୟର ପ୍ରାର୍ଥୀ। ଏହା ସହ କଟକ ପାଇଁ ସାଂସଦ ସୁବାସ ସିଂହ ହୋଇଛନ୍ତି ବିଜେଡିର ମେୟର ପ୍ରାର୍ଥୀ। ସେହପିରି ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ କରିଛି ବିଜେଡି।