ଆଞ୍ଚଳିକ ଶିଳ୍ପ ବିସ୍ଥାପିତ ସଚେତନ ମଞ୍ଚରେ ଛଦ୍ମବେଶୀମାନେ ନେତୃତ୍ୱ ନେଉଥିବା ଅଭିଯୋଗ କଲା ବିଜେପି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବିସ୍ଥାପିତଙ୍କ ନାଁରେ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆଞ୍ଚଳିକ ଶିଳ୍ପ ବିସ୍ଥାପିତ ସଚେତନ ମଞ୍ଚର ଦାୟିତ୍ୱରେ ଥିବା ନେତୃତ୍ୱମାନେ ଛଦ୍ମବେଶୀ ବିସ୍ଥାପିତ ଏବଂ ବିଜେଡ଼ିର କର୍ମକର୍ତ୍ତା ବୋଲି ବିଜେପି ପକ୍ଷରୁ ଅଭିଯୋଗ କରଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି। ଟଙ୍କଧର କହିଛନ୍ତି ଯେ, ଝାରସୁଗୁଡ଼ାର ଆଂଚଳିକ ଶିଳ୍ପ ବିସ୍ଥାପିତ ସଚେତନ ମଞ୍ଚ ଦ୍ୱାରା ଅକ୍ଟୋବର ୩୦ରେ ଭୁବନେଶ୍ୱରସ୍ଥିତ ରାଜଭବନ ସମ୍ମୁଖରେ ବିଭିନ୍ନ ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରଯାଇଥିଲା। ଗତ ୧୬ ତାରିଖରେ ଏମସିଏଲ ଓ ସମ୍ବଲପୁର କାର୍ଯ୍ୟାଳୟଠାରେ ମଧ୍ୟ ଏହି ସଂଗଠନ ତରଫରୁ ବିଭିନ୍ନ ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କିନ୍ତୁ ଏହି ମଞ୍ଚର କର୍ମକର୍ତ୍ତା କେହି ବି ବିସ୍ଥାପିତ ନୁହନ୍ତି ଏବଂ ସେମାନେ ବିଜେଡି କର୍ମକର୍ତ୍ତା ହୋଇଥିଲେ ମଧ୍ୟ ବିସ୍ଥାପିତଙ୍କ ନାମରେ ସଂଗଠନ କରି ଲୋକଙ୍କୁ ଭ୍ରମିତ କରୁଥିବା ଟଙ୍କଧର ଅଭିଯୋଗ କରିଛନ୍ତି।

ସେହିପରି ଝାରସୁଗୁଡ଼ାର ଶିଳ୍ପ ଅନୁଷ୍ଠାନଗୁଡ଼ିକରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନଥିବାରୁ ଯୁବପୀଢ଼ୀ ବେରୋଜଗାର ରହିଛନ୍ତି। ଅନ୍ୟପଟେ ଶିଳ୍ପସଂସ୍ଥା ଯୋଗୁ ପ୍ରକୃତରେ ବିସ୍ଥାପିତ ହୋଇଥିବା ବ୍ୟକ୍ତିଙ୍କ ସ୍ଥାୟୀ ଥଇଥାନ ହୋଇ ପାରୁନାହିଁ। ଏହି ବିଷୟଗୁଡ଼ିକୁ ଆଞ୍ଚଳିକ ଶିଳ୍ପ ବିସ୍ଥାପିତ ସଚେତନ ମଞ୍ଚ ଗୁରୁତ୍ୱ ଦେଉଥିବାବେଳେ କେବଳ ସଂଗଠନ ତିଆରି କରି କେନ୍ଦ୍ର ସରକାରଙ୍କୁ ବଦନାମ୍ କରିବା ପାଇଁ ଅପଚେଷ୍ଟା କରୁଛନ୍ତି ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି। ଅନ୍ୟପଟେ ଆଞ୍ଚଳିକ ଶିଳ୍ପ ବିସ୍ଥାପିତ ସଚେତନ ମଞ୍ଚ ପକ୍ଷରୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯିବା ସହ ମଞ୍ଚ ଲୋକଙ୍କ ପାଇଁ ଲଢ଼େଇ କରୁଥିବା କୁହାଯାଇଛି।