ଗ୍ଲାସଗୋରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ସନ୍ଦେଶ- ‘ଓ୍ଵାନ ସନ, ଓ୍ଵାନ ଓ୍ଵାର୍ଲ୍ଡ, ଓ୍ଵାନ ଗ୍ରୀଡ’ ଦୁନିଆ ପାଇଁ ଜରୁରୀ

ଗ୍ଲାସଗୋ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋରେ ସିଓପି-୨୬ ଜଳବାୟୁ ଶିଖର ସମ୍ମିଳନୀରେ ପୁଣି ଥରେ ବଡ ବଡ ଦେଶକୁ ଚେତାଇଛନ୍ତି। ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମକୁ ପ୍ରକୃତି ସହ ସମନ୍ଵୟ ରଖି ଚାଲିବାକୁ ପଡିବ। ପ୍ରାକୃତିକ ସନ୍ତୁଳନ ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇଛି। ମାନବତାକୁ ବଞ୍ଚାଇବା ପାଇଁ ଆମକୁ ସୂର୍ଯ୍ୟ ସହିତ ତାଳ ଦେଇ ଚାଲିବାକୁ ପଡିବ। ଏହି ସମୟରେ ପ୍ରଧାନମନ୍ତ୍ରୀ ବିଶ୍ଵବାସୀଙ୍କୁ ବଡ ସନ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଓ୍ଵାନ ସନ, ଓ୍ଵାନ ଓ୍ଵାର୍ଲ୍ଡ, ଓ୍ଵାନ ଗ୍ରୀଡ’ ଦୁନିଆ ପାଇଁ ବହୁତ ଜରୁରୀ। ଉନ୍ନତ ଜ୍ଞାନ କୌଶଳ ଆମକୁ ଉନ୍ନତ ସୁଯୋଗ ପ୍ରଦାନ କରିଛି। ଇସ୍ରୋ ବିଶ୍ଵକୁ ସୋଲାର କ୍ୟାଲକୁଲେଟର ଦେବାକୁ ଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜୀବାଶ୍ମ ଇନ୍ଧନର ଉପଯୋଗ କିଛି ଦେଶକୁ ସମୃଦ୍ଧ କରିଛି ମାତ୍ର ଏହା ପୃଥିବୀ ଏବଂ ପରିବେଶ ଉପରେ କୁପ୍ରଭାବ ପକାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସୌର ଉର୍ଜା ସମ୍ପୂର୍ଣ୍ଣ ଭାବେ ସ୍ଵଚ୍ଛ ଏବଂ ଦୀର୍ଘସ୍ଥାୟୀ। କିନ୍ତୁ ଚ୍ୟାଲେଞ୍ଜ ଏହା ଯେ, ଉର୍ଜା କେବଳ ଦିନ ବେଳେ ମିଳିବ ଏବଂ ପାଣିପାଗ ଉପରେ ଏହା ନିର୍ଭରଶୀଳ। ଏହି ସମସ୍ୟାର ସମାଧାନ ‘ଓ୍ଵାନ ସନ, ଓ୍ଵାନ ଓ୍ଵାର୍ଲ୍ଡ, ଓ୍ଵାନ ଗ୍ରୀଡ’। ବିଶ୍ଵବ୍ୟାପୀ ଗ୍ରୀଡ ମାଧ୍ୟମରେ ସ୍ଵଚ୍ଛ ଉର୍ଜାକୁ କେଉଁଠି ବି ଏବଂ କେବେ ବି ବ୍ୟବହାର କରାଯାଇ ପାରିବ।

‘ଓ୍ଵାନ ସନ, ଓ୍ଵାନ ଓ୍ଵାର୍ଲ୍ଡ, ଓ୍ଵାନ ଗ୍ରୀଡ’ କେବଳ ଭଣ୍ଡାରର ଆବଶ୍ୟକତାକୁ ହ୍ରାସ କରିବ ତା ନୁହେଁ ବରଂ ସୌର ପ୍ରକଳ୍ପର ବ୍ୟବହାରିକତାକୁ ଆହୁରି ବଢାଇବ। ଏହି ରଚନାତ୍ମକ ପଦକ୍ଷେପ କେବଳ କାର୍ବନ ଏବଂ ଉର୍ଜା ବ୍ୟୟକୁ କମ କରିବ ତା ନୁହେଁ ବରଂ ବିଭିନ୍ନ ଦେଶ ଏବଂ କ୍ଷେତ୍ର ମଧ୍ୟରେ ସହଯୋଗ ପାଇଁ ଏକ ନୂତନ ରାସ୍ତା ଖୋଲିବ।