ପାଟଣାଗଡ଼,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ସହ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଦଳୀୟ କର୍ମୀଙ୍କୁ ଦିଆଯିବାକୁ ନେଇ ଆଜି ପାଟଣାଗଡ଼ ବିଜେପି ପକ୍ଷରୁ ବ୍ଲକ ଘେରାଉ କରାଯାଇଛି । ବିଜେପି ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ରାଜ୍ୟ ସରକାର ଓ ବ୍ଲକ ପ୍ରଶାସନ ବିରୁଦ୍ଧରେ ସ୍ଥାନୀୟ ରାଜଖମରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନବୀନ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେବାସହ ପାଟଣାଗଡ଼ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପାଟଣାଗଡ଼ ବ୍ଲକରେ ଥିବା ୩୦ଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାରେ ବ୍ୟାପକ ଅନିମିୟତା ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଥିବାବେଳେ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଛନ୍ତି । ଏହି ସମୟରେ ପାଟଣାଗଡ଼ ବ୍ଲକର ୩ଟି ମଣ୍ଡଳ ସଭାପତି ବଲ୍ଲଭ ଧରୁଆ, ସ୍ୱରୂପା ପରୁଆ, ପଙ୍କଜ ଭୋଇଙ୍କ ସମେତ ନଗର ସଭାପତି ସୁଶାନ୍ତ କୁମାର ମହାନ୍ତି, କରମ ସିଂ ସରାଫ, ମାଧବ ସାଏ, ମୁନା ଦରୁଆନ ଓ ସୁରୁସିଂ ନିନା ପ୍ରମୁଖ ଯୋଗ ଦେଇଥିଲେ । ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଏହି ଦାବୀପତ୍ରଟି ମୁଖ୍ୟମନ୍ତ୍ରୀଙ୍କୁ ପଠାଇବା ସହ ଆସନ୍ତା ୯ ଦିନ ମଧ୍ୟରେ ଦାବୀ ପୂରଣ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମୟରେ ମାଜିଷ୍ଟ୍ରେଟ ଭାବେ ପାଟଣାଗଡ଼ ତହସିଲଦାର ଉପସ୍ଥିତ ଥିବାବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।