କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ବିଜେପି ଓ କଂଗ୍ରେସର ବିରୋଧ

କୋରାପୁଟ,ଏନ୍ଏନ୍ଏସ୍: କୋଟିଆରେ ଆନ୍ଧ୍ର ପ୍ରଦେଶ ସରକାର ଦ୍ୱାରା କରାଯାଇଥିବା ପଞ୍ଚାୟତ ନିର୍ବାଚନକୁ କଂଗ୍ରେସ ଓ ବିଜେପି ବିରୋଧ କରି ୨୬ନଂ ଜାତୀୟ ରାଜପଥର କୁନ୍ଦୁଲିରେ ଆନ୍ଦୋଳନ କରିଛନ୍ତି। ଓଡ଼ିଶା ମାଟିରେ ଆନ୍ଧ୍ର ପ୍ରଶାସନ ଅନୁପ୍ରବେଶ କରି ବେଆଇନ ଭାବେ ନିର୍ବାଚନ କରିଥିବାରୁ ଓଡ଼ିଶା ତଥା କୋରାପୁଟ ଜିଲ୍ଲାର ସ୍ୱାଭିମାନ କ୍ଷୁର୍ଣ୍ଣ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ଏପରି ହୋଇଥିବା ଉଭୟ ଦଳର ନେତା ପ୍ରତିକ୍ରିୟା ରଖିଛନ୍ତି। କଂଗ୍ରେସ ନେତା ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡ଼ାମ, ବିଜେପି ନେତା ଜୟରାମ ପାଙ୍ଗୀ, ପଟ୍ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ, ବିଜେପି ନେତା ଗୌତମ ସାମାନ୍ତରାୟଙ୍କ ସହ ଶତାଧିକ କର୍ମୀ ରାସ୍ତାରେ ଟାୟାର ଜାଳି ଧାରଣା ଦେଇଥିଲେ। ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା ଘଟଣାସ୍ଥଳକୁ ଆସି ବୁଝାଇବା ପରେ ଆନ୍ଦୋଳନକାରୀ ଧାରଣା ପ୍ରତ୍ୟାହୃତ କରିଥିଲେ। କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦୁଲ ଅଖତର କୋଟିଆ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରୁଥିବାବେଳେ ଗାଡ଼ିକୁ ବିଜେପି ନେତାମାନେ କିଛି ସମୟ ପାଇଁ ଗାଡ଼ି ଅଟକାଇ ରଖିଥିଲେ। ନିର୍ବାଚନର ସମସ୍ତ ଭିଡିଓ ଉଠାଯାଇଛି ଓ ସେହି ଭିଡିଓକୁ ସୁପ୍ରିମକୋର୍ଟରେ ଦାଖଲ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।