ପାଟଣାଗଡ଼ ପୌର ନିର୍ବାଚନ ପାଇଁ ପ୍ରଚାର ମଇଦାନରେ ବିଜେପି ଓ ବିଜେଡି

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପାଟଣାଗଡ଼ ରାଜନୀତି ସରଗରମ ହେବାକୁ ଲାଗିଛି ।୧୫ଟି ୱାର୍ଡ ପାଇଁ ସମୁଦାୟ ୧୬ ହଜାର ୭୨୩ଜଣ ଭୋଟର ନିଜ ମତ ସାବ୍ୟସ୍ତ କରିବେ । ଚଳିତ ବର୍ଷ ସିଧାସଳଖ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେଉଥିବାରୁ ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ଉଠିଛି । ଆଜି ବିଜେପି ପକ୍ଷରୁ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ୧୨ନଂ ୱାର୍ଡର କାଉନସିଲର ପ୍ରାର୍ଥୀ ଚନ୍ଦ୍ରକାନ୍ତି ପଟେଲ,୧୩ନଂ କାଉନସିଲର ପ୍ରାର୍ଥୀ ପ୍ରେରଣା ତାଣ୍ଡି ଓ ୧୪ନଂ କାଉନସିଲର ପ୍ରାର୍ଥୀ ମେଘରାଜ ନାୟକଙ୍କ ସହ ଏନଏସି ଅଧ୍ୟକ୍ଷ ପ୍ରାର୍ଥୀ ବୁଡୁ ଶବରଙ୍କୁ ନେଇ ୧୨,୧୩ ଓ ୧୪ନଂ ୱାର୍ଡରେ ଘରକୁ ଘର ବୁଲି ଭୋଟ ମାଗିଥିଲେ । ପ୍ରଚାର ସମୟରେ ନଗର ସଭାପତି ସୁଶାନ୍ତ ମହାନ୍ତି, ରାଜୁ ପାଣିଗ୍ରାହୀ, ବାବୁଲା ଦାସ, ନନ୍ଦନ ଠାକୁର, ରାନା ଚିନ୍ଦା, ପୂର୍ବତନ ଉପନଗରପାଳ ରମାନାଥ ହୋତାଙ୍କ ସହ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ । ସେହିପରି ବିଜେଡି ଦଳ ତରଫରୁ ୪ନଂ ଓ ୫ନଂ ୱାର୍ଡରେ ବିଧାୟକ ସରୋଜ ମେହେରଙ୍କ ନେତୃତ୍ୱରେ କାଉନସିଲର ପ୍ରାର୍ଥୀଙ୍କ ସହ ଏନଏସି ଅଧ୍ୟକ୍ଷା ପ୍ରାର୍ଥୀଙ୍କୁ ନେଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ । ସେହିପରି ବିଜେଡିର ପ୍ରଚାର ସମୟରେ ବ୍ଲକ ଅଧ୍ୟକ୍ଷ ନୀଳ ବାଗ, ସୁକୁମାର ବାରିକ, କରୁଣା ମେହେର, ସତ୍ୟ ବନଗୁଲା,ପରେସ ସାହୁ, ରିଙ୍କୁ ମେହେର ଓ ପ୍ରଦୀପ ମେହେର ପ୍ରମୁଖ ସାମିଲ ହୋଇଥିଲେ ।