ଜୁଆଙ୍ଗ ଜନଜାତିଙ୍କ ଟଙ୍କା ହଡ଼ପ ହୋଇଛି

ହଡ଼ପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଲା ପଞ୍ଚାୟତ ଖରବା ଗ୍ରାମରେ ପିଏମ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି। ବିଶେଷକରି ଏହି ଅଞ୍ଚଳର ୧୩ଟି ନିର୍ଦ୍ଦିଷ୍ଟ ଦୁର୍ବଳ ଜନଜାତି ଗୋଷ୍ଠୀ ବା ପିଭିଟିଜି ଅନ୍ତର୍ଭୁକ୍ତ ଜୁଆଙ୍ଗ ଜନଜାତି ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦେବାବେଳେ ଆର୍ôଥକ ଅନିୟମିତତା ହେବାର ପ୍ରମାଣ ମିଳିବାରୁ ବିଜେପିର ଏକ ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରି ଫେରିଛନ୍ତି। ସାଧାରଣ ବାସଗୃହ ଯୋଗାଇ ଦେବା କହି ଜୁଆଙ୍ଗ ଜନଜାତିଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରାଯାଉଛି ଏବଂ ଆବାସ ଯୋଜନାରେ ମିଳୁଥିବା ଟଙ୍କାକୁ ହରିଲୁଟ କରାଯାଇଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଅଭିଯୋଗ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ସୂଚନା ଅଧିକାର ତଥ୍ୟ ଅନୁସାରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଲା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୦୦ ଘରକୁ ଅନୁମୋଦନ ଦିଆଯାଇଛି। କିନ୍ତୁ ବାସ୍ତବରେ ଅନେକ ହିତାଧିକାରୀଙ୍କ ନାମରେ ଅର୍ଥ ଆସିଥିଲେ ବି ଶାସକ ଦଳର ନେତା ଓ ସରକାରୀ ଅଧିକାରୀମାନେ ସମ୍ପୃକ୍ତ ହିତାଧିକାରୀଙ୍କ ଏଟିଏମ ଓ ପାସୱାର୍ଡ ରଖି ଆଦିବାସୀଙ୍କ ଅର୍ଥକୁ ହରିଲୁଟ୍ କରିଛନ୍ତି। ବିଜେପିର ଅଭିଯୋଗ ଅନୁଯାୟୀ ଖରବା ଗ୍ରାମର ମମତା ଜୁଆଙ୍ଗ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ ତାଙ୍କ ଘର ନିର୍ମାଣ ଆରମ୍ଭ ହୋଇନାହିଁ। ଉଷା ଜୁଆଙ୍ଗଙ୍କ ଘର ନିମଟାଲ ପର୍ଯ୍ୟନ୍ତ ଉଠିଥିବାର ଦର୍ଶାଇ ୧ ଲକ୍ଷ ଟଙ୍କା ଉଠାଯାଇଥିବାବେଳେ ତାଙ୍କ ଘର କେବଳ ପ୍ଲିନ୍ଥ କାମ ସରିଛି।

ସେହିପରି ଆଉ ଜଣେ ହିତାଧିକାରୀ ରମେଶ ଜୁଆଙ୍ଗଙ୍କ ଘର ପ୍ଲିନ୍ଥ ଅସମ୍ପୂର୍ଣ୍ଣ ଥିବାବେଳେ ତାଙ୍କ ନାମରେ ୫୫ ହଜାର ଟଙ୍କା ଉଠାଯାଇଛି। ବାଦଲ ମହ୍ଲାର ଓ ଅନ୍ଧାର ମହ୍ଲାରଙ୍କୁ ନିମ୍ନମାନର କମ ଉଚ୍ଚତାରେ ଘର କରି ୧ ଲକ୍ଷ ଟଙ୍କା ସେମାନଙ୍କ ଠାରୁ ହଡ଼ପ କରାଯାଇଛି। ବିଜେଡି ଠିକାଦାର ଓ ସରକାରୀ ଅଧିକାରୀମାନେ ଏମିତି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରିଛନ୍ତି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି। କେବଳ ହରିଚନ୍ଦନପୁର ବ୍ଲକ ନୁହେଁ ଏଭଳି ଅନିୟମିତତାର ପ୍ରମାଣ କେନ୍ଦୁଝର ଜିଲ୍ଲା ଘସିପୁରା, ଘଟଗାଁ, ସଦର ଏବଂ ଝୁମ୍ପୁରା ବ୍ଲକରୁ ଆସିଛି। ଖରବା ଗ୍ରାମର ଲୋକଙ୍କ ପାଖରେ ପକ୍କାଘର, ବିଦ୍ୟୁତ, ଶୌଚାଳୟ, ପିଇବା ପାଣି, ରାସ୍ତା, ଅଙ୍ଗନବାଡ଼ି ବର୍ତ୍ତମାନ ସୁଦ୍ଧା ଅପହଞ୍ଚ। ଖଣି ଖାଦାନରେ ଭରପୂର ଥିବା କେନ୍ଦୁଝର ଜିଲ୍ଲାରେ ଏଭଳି ଭାବେ ଜୁଆଙ୍ଗ ଜନଜାତି ବସବାସ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଞ୍ଜିତ ଦାସ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସର ଦୁର୍ନୀତି କେନ୍ଦୁଝର ଜିଲ୍ଲାରେ କେବଳ ଭାତହାଣ୍ଡିର ଗୋଟିଏ ଭାତ ସଦୃଶ। ଏହି ଦୁର୍ନୀତି ସାରା ଓଡ଼ିଶାରେ ବ୍ୟାପିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ରାଜ୍ୟ ସରକାର ଗରିବ ଲୋକଙ୍କ ଅଧିକାରରୁ ବଞ୍ଚିତ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି। ଅତଏବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗରିବ ଆଦିବାସୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି।