୧୦ବର୍ଷରେ ଲକ୍ଷେ କୋଟି ଖଟାଇବ ଜେଏସଡବ୍ଲ୍ୟୁ

ସଜ୍ଜନ ଜିନ୍ଦଲଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଏକ ଆଶ୍ୱସ୍ତିକର ଖବର। ଆସନ୍ତା ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଖଟାଇବ ଜେଏସଡବ୍ଲ୍ୟୁ। ଏହାସହ ଜଗତସିଂହପୁର ଜିଲ୍ଲା ଜଟାଧାରରେ ବାର୍ଷିକ ୧୩.୨ ଏମଟିପିଏ  କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ୍ ପ୍ଲାଣ୍ଟ ପ୍ରକଳ୍ପ ଜେଏସଡବ୍ଲ୍ୟୁ ଖୁବଶୀଘ୍ର ଆରମ୍ଭ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜେଏସ୍ଡବ୍ଲ୍ୟୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ ଏହି ସୂଚନା ମିଳିଛି।
ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ବିଶେଷ କରି ଜଗତସିଂହପୁରରେ ପ୍ରକଳ୍ପକୁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ଜିନ୍ଦଲଙ୍କୁ କହିଛନ୍ତି। ଏଥିସହ ରାଜସ୍ୱ ଆଦାୟ ଓ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଗତସିଂହପୁର ଜିଲ୍ଲା ଜଟାଧାରରେ ଜେଏସଡବ୍ଲ୍ୟୁର ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି, ଜଳ ଏବଂ ବିଦ୍ୟୁତ୍ ଯୋଗାଇ ଦେଇଛନ୍ତି। ଏହି ପ୍ରକଳ୍ପ ଖୁବଶୀଘ୍ର ଆରମ୍ଭ ହେବା ନେଇ ଆଶା କରାଯାଉଛି। ଜେଏସ୍ଡବ୍ଲ୍ୟୁ ଓଡ଼ିଶାରେ ଆଗାମୀ ୧୦ ବର୍ଷ ମଧ୍ୟରେ ଏକ ଲକ୍ଷ କୋଟି ପୁଞ୍ଜିନିବେଶ ସହ ଆଇଆଇଏମ ସମ୍ବଲପୁରରେ ସେଣ୍ଟର ଫର ଡେଭେଲପମେଣ୍ଟ ଷ୍ଟଡିଜ ପ୍ରତିଷ୍ଠା କରିବ ବୋଲି ଶ୍ରୀ ଜିନ୍ଦଲ ଜଣାଇଛନ୍ତି। ଶ୍ରୀ ଜିନ୍ଦଲ ରାଜ୍ୟରେ ଜେଏସଡବ୍ଲ୍ୟର ସମସ୍ତ ପ୍ରକଳ୍ପ ବାବଦରେ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ଜଣାଇବା ସହ ବିଭିନ୍ନ ଇଣ୍ଡଷ୍ଟ୍ରିଆଲ ପ୍ରକଳ୍ପ ଲାଗି ରାଜ୍ୟ ସରକାର ଆବଶ୍ୟକୀୟ ସହଯୋଗ ପ୍ରଦାନ କରୁଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ।  ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ାରେ ପିପିପି ମୋଡରେ ଏକ ସ୍କୁଲ୍ ଏବଂ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ସ୍ଥାନୀୟ ଲୋକଙ୍କ ପାଇଁ ଜେଏସଡବ୍ଲ୍ୟୁ ପ୍ରତିଷ୍ଠା କରିବ ବୋଲି ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ପୂର୍ଣ୍ଣ ସହଯୋଗକ୍ରମେ ଏହି ଉନ୍ନୟନ ପ୍ରକଳ୍ପଗୁଡ଼ିକ  ଖୁବଶୀଘ୍ର ପ୍ରତିଷ୍ଠା ହେବ ବୋଲି କୁହାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ଆଲୋଚନାରେ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ, ଇସ୍ପାତ୍ ଓ ଖଣି ବିଭାଗ ପ୍ରମୁଖ ସଚିବ, ଶିଳ୍ପ ବିଭାଗ ପ୍ରମୁଖ ସଚିବ, ଇପିକଲ ସିଏମ୍ଡି, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଅଂଶଗ୍ରହଣ କରିଥିଲେ।