ବିଜେପି କରୁଛି ହୀନ ରାଜନୀତି: ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀର ମୁକାବିଲା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଭାରତର ପ୍ରଧାନମନ୍ତ୍ରୀ ଏକତ୍ର ଭାବେ କାର୍ଯ୍ୟକ୍ରମ କରିବାକୁ ଚାହୁଁଥିବାବେଳେ ଓଡ଼ିିଶା ବିଜେପି ନେତାମାନେ କିନ୍ତୁ ଏହା ଚାହୁଁ ନାହାନ୍ତି। ରାଜ୍ୟ ବିଜେପି ନେତାମାନେ କରୋନାକୁ ନେଇ ହୀନ ରାଜନୀତି ଆରମ୍ଭ କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ।
ବୁଧବାର ବିଜେପିର ଅଭିଯୋଗର ଉତ୍ତର ଦେଇ ବିଜେଡି ମୁଖପାତ୍ର ଶ୍ରୀମତି ଦେଓ କହିଥିଲେ, ବିଶ୍ୱ ମହାମାରୀ କରୋନାର ମୁକାବିଲାକୁ ନେଇ ରାଜନୀତି କରିବା ଉଚିତ ନୁହେଁ। ହେଲେ ବିଜେପି ତାହା କରୁଛି। ଏଭଳି ମହାମାରୀ ସମୟରେ ସରକାରଙ୍କୁ ପରାମର୍ଶ ଦେବା ସହିତ କରୋନା ଲଢେଇରେ ସାମିଲ ହେବା ପରିବର୍ତ୍ତେ ସମାଲୋଚନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ ପ୍ରକାଶ କରିଥିଲେ।
ଶ୍ରୀମତି ଦେଓ କହିଥିଲେ, ରାଜ୍ୟ ବିଜେପି ନେତାମାନେ ସରକାରଙ୍କ ସମାଲୋଚନା ବଦଳରେ ଯଦି ଯୁକ୍ତିସଙ୍ଗତ ପରାମର୍ଶ ଓ ସମର୍ଥନର ହାତ ବଢେଇଥାନ୍ତେ ତହାଲେ ଓଡ଼ିଶାବାସୀ ଖୁସି ହୋଇଥାନ୍ତେ। ହେଲେ ତାହା ନକରି ନିଜର ରାଜନୈତିକ ଅସ୍ଥିତ୍ୱ ଓ ଗଣମାଧ୍ୟମରେ ନିଜର ପ୍ରାସଙ୍ଗିକତା ରକ୍ଷା କରିବା ପାଇଁ କରୋନାକୁ ନେଇ ରାଜନୀତି ଆରମ୍ଭ କରିଦେଇଛନ୍ତି । ଓଡିଶାବାସୀ ରାଜ୍ୟ ବିଜେପି ନେତାଙ୍କ ମନୋଭାବ ସଂକ୍ରାନ୍ତରେ ଭଲଭାବେ ଅବଗତ। ସେମାନଙ୍କର ଏଭଳି ହୀନ ରାଜନୈତିକ ମନ୍ତବ୍ୟକୁ ଆଦୌ ଗ୍ରହଣ କରିବେ ନାହିଁ ବୋଲି ଶ୍ରୀମତୀ ଦେଓ କହିଛନ୍ତି।