ରାମନାଗୁଡ଼ାରେ ବିଜେଡ଼ି ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହେଲେ ଜଗନ୍ନାଥ ସାରକା

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ାରେ ଆଜି ବିଜେଡ଼ି ପକ୍ଷରୁ ଏକ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହନୁମାନ ମନ୍ଦିରରୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ହଜାର ହଜାର ବିଜେଡ଼ି କର୍ମୀ ଓ ନେତା ଏକ ବିଶାଳ ପଦଯାତ୍ରାରେ ବାହାରି ସହରର ମୁଖ୍ୟ ରାସ୍ତା ଦେଇ କଲ୍ୟାଣ ମଣ୍ଡପ ନିକଟରେ ପହଞ୍ଚିଥିଲେ । ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ରାମନାଗୁଡ଼ା ବ୍ଲକ୍ ବିଜେଡ଼ି ସଭାପତି ବିଜୟ ମାଣ୍ଡାଙ୍ଗିଙ୍କ ନେତୃତ୍ୱରେ ଅନୁଷ୍ଠିତ ପଦଯାତ୍ରାରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ବିଜେଡ଼ି ସଭାପତି ସୁଧିର ଦାଶ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀଙ୍କ ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ । ରାଜ୍ୟ ସରକାରଙ୍କ ଓଡ଼ିଶାବାସୀଙ୍କ ପ୍ରତି ଥିବା ଭଲ ପାଇବା ଓ ଜନସାଧାରଣଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା କିଭଳି ତୃଣମୂଳସ୍ତରରେ ପହଞ୍ଚାଇବା ସହ ସଂଗଠନକୁ କିପରି ଆହୁରି ମଜଭୁତ କରିବାସେନେଇ କର୍ମୀଙ୍କୁ ନେତା ଗୁରୁମନ୍ତ୍ର ଦେଇଛନ୍ତି । ଯେଉଁ ସମୟରେ ନିର୍ବାଚନ ହେଲେ ମଧ୍ୟ ଆମେ ଲଢ଼ିବାକୁ ପ୍ରସ୍ତୁତ ଅଛୁ । ସମସ୍ତେ ମିଳିମିଶି ଦଳକୁ ଆଗେଇ ନେବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ମଜଭୁତ୍ କରିବା ବୋଲି ଜିଲ୍ଲା ବିଜେଡ଼ି ସଭାପତି ସୁଧିର ଦାଶ କହିଛନ୍ତି ।