‘କିଛି ଶକ୍ତି ରାଜ୍ୟର ଅଧିକାରକୁ ସଙ୍କୁଚିତ କରିବାକୁ ଚେଷ୍ଟା କରୁଛନ୍ତି’

ଭୁବନେଶ୍ୱର,ଏନ୍ଏନ୍ଏସ୍: ‘ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ରାଜ୍ୟମାନଙ୍କର ସହଯୋଗୀତରେ ଚାଲିବା ଦରକାର। ହେଲେ ବର୍ତ୍ତମାନ କିଛି ଶକ୍ତି ରାଜ୍ୟର ଅଧିକାରକୁ ସଙ୍କୁଚିତ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଆମେ ସଂକଳ୍ପ ନେଇଛୁ ସେମାନଙ୍କୁ ସାମ୍ନା କରିବା ପାଇଁ ଆମେ ‘ଆମ ସଙ୍ଗଠନ’କୁ ଆହୁରି ଶକ୍ତିଶାଳୀ କରିବୁ । ପୂର୍ବରୁ ଯେଉଁ ଅଧିକାର ପାଇଁ ଲଢେଇ କରୁଥିଲୁ, ସେ ଲଢେଇ ଜାରି ରହିବ।’
ବିଜେପି ନାମ ନ ନେଇ ବିଜେଡିର ୩ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା ଓ ପ୍ରସନ୍ନ ଆଚାର୍ଯ୍ୟ ଏଭଳି ଢଙ୍ଗରେ ଆଟାକ୍ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ଶେଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେମାନେ ମିଳିତ ହୋଇ କହିଥିଲେ, ବନ୍ୟା ବାତ୍ୟା ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଭିତରେ ଓଡ଼ିଶାକୁ ପ୍ରତିଶ୍ରୁତି ଦିଆଯାଇ ପ୍ରତାରଣା କରାଯାଇଛି । କେନ୍ଦ୍ରର ବାଧା ସତ୍ତେ ବିକାଶପାଇଁ ବିଜେଡି ସଂକଳ୍ପବଦ୍ଧ। ପ୍ରାକୃତିକ ସମ୍ପଦ, ବିସ୍ତୀର୍ଣ୍ଣ ବେଳାଭୂମି ସବୁ ଥାଇ ବିକାଶରେ ବାଧକ କିଏ। କେନ୍ଦ୍ର ଅବହେଳାକୁ ନେଇ ଲଢେଇ ଜାରି ରହିବ। ସଙ୍ଗଠନକୁ ତୃଣମୂଳସ୍ତରରୁ ଶକ୍ତିଶାଳୀ କରିବା ପାଇଁ ଆମେ ସଂକଳ୍ପବଦ୍ଧ। ପ୍ରବାସୀ ଓଡ଼ିଆଙ୍କୁ ଦଳର ସଦସ୍ୟତା ପାଇଁ ଅନଲାଇନ ପ୍ଲାଟଫର୍ମ ଯୋଗାଇ ଦିଆଯିବ। ଓଡ଼ିଶାର ସ୍ୱାଭିମାନ ଓ ସ୍ୱାର୍ଥ ଆମର ପ୍ରାଥମିକତା । କେନ୍ଦ୍ରରେ ଥିବା କିଛି ଦଳ ଆମ ଭଳି ଆଞ୍ଚଳିକ ଦଳର ପ୍ରାସଙ୍ଗିକତା ନଷ୍ଟକରିବାକୁ ଚେଷ୍ଟାକରୁଛନ୍ତି । କୃଷି ଓ କୃଷକର ଉନ୍ନତି ପାଇଁ ଆମର ସଂଗ୍ରାମ ଜାରି ରହିଛି ଓ ରହିବ । ଦଳକୁ ଆଗାମୀ ଦିନରେ କେମିତି ସୁଦୃଢ଼ କରାଯିବ, ସାଙ୍ଗଠନିକ ବିସ୍ତାର କରାଯିବ ତାହାକୁ ଆଧାର କରି ପ୍ରସ୍ତାବ ଗ୍ରହଣ କରାଯାଇଛି । ରାଜ୍ୟକୁ ସ୍ୱତନ୍ତ୍ର ବିକଶିତ ରାଜ୍ୟପାଇଁ ସଂଗ୍ରାମ କରାଯିବ।
ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସେମାନେ ପୁଣି କହିଥିଲେ, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ୯ଟି ପ୍ରସ୍ତାବ ପାରିତ ହୋଇଛି। ଦଳୀୟ ସମ୍ବିଧାନ ସଂଶୋଧନ ହୋଇଛି। ଏସବୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବି ମିଳିଛି । ଓଡ଼ିଶାର ଭାଷା ପରମ୍ପରା ସଂସ୍କୃତିର ସୁରକ୍ଷା ପାଇଁ ଦଳ ଅଙ୍ଗୀକାରବଦ୍ଧ । ମହିଳାଙ୍କୁ ବିଧାନସଭା ଓ ସଂସଦରେ ୩୩% ସଂରକ୍ଷଣ ପାଇଁ ସହମତି ସୃଷ୍ଟି ହୋଇଛି। ସେହିପରି ଦେବୀ ପ୍ରସାଦ ମିଶ୍ର କହିଥିଲେ, ବିଜେଡି ଏକ ବିଶାଳ ଦଳ। ଏଥିରେ ଆହୁରି ଅଧିକ ସଭ୍ୟଙ୍କୁ ସାମିଲ କରାଯିବ। ତେଣୁ ଆମେ ସଂକଳ୍ପ ନେବା ସହ ଦଳର ସଙ୍ଗଠନକୁ ଆହୁରି ଶକ୍ତିଶାଳୀ କରାଯିବ ବୋଲି ସେମାନେ ପ୍ରକାଶ କରିଥିଲେ।