ବିଜେଡିରେ ନିଯୁକ୍ତ ହେଲେ ୧୫ଜଣ ବରିଷ୍ଠ ସାଧାରଣ ସମ୍ପାଦକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେଡି ବୁଧବାର ବରିଷ୍ଠ ସାଧାରଣ ସମ୍ପାଦକମାନଙ୍କୁ ନିଯୁକ୍ତ କରିଛି । ମୋଟ ୧୫ଜଣ ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଥିବାବେଳେ ସେମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି ।  ଡାକ୍ତର ନୃସିଂହ ଚରଣ ସାହୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିବାବେଳେ ତାଙ୍କୁ ଆଞ୍ଚଳିକ ବିକାଶ ଦାୟିତ୍ୱ ମିଳିଛି। ସେହିପରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କଳିକେଶ ନାରାୟଣ ସିଂହଦେଓ, ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ ସମାଜ ମଙ୍ଗଳ ଦାୟିତ୍ୱ ମିଳିଥିବାବେଳେ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଓ ବିଧାୟକ ରୋହିତ ପୂଜାରୀଙ୍କୁ ସଂସ୍କୃତି ଓ ମାନବ ସମ୍ବଳ ବିକାଶ ଦାୟିତ୍ୱ ମିଳିଛି ।

ସେହିଭଳି ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଓଡିଶା ମୋ ପରିବାର ଦାୟିତ୍ୱ ମିଳିଥିବାବେଳେ ରବି ନାରାୟଣ ନନ୍ଦ ଓ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କୁ ପରିବେଶ, ମନ୍ତ୍ରୀ ପ୍ରତାପ ଜେନା ଓ ନବ କିଶୋର ଦାସଙ୍କୁ ସଶକ୍ତ ଓଡିଶା, ସାଂସଦ ରମେଶ ଚନ୍ଦ୍ର ମାଝି, ସରୋଜୀନି ହେମ୍ବ୍ରମଙ୍କୁ ଆଦିବାସୀ ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର, ବିଧାୟକ ଶଶୀ ଭୂଷଣ ବେହେରାଙ୍କୁ ମହିଳା ସଶକ୍ତିକରଣ ଓ ଅନୁସୂଚିତ ଜାତି ମଙ୍ଗଳ ଦାୟିତ୍ୱ ମିଳିଥିବାବେଳେ ସୁମିତ୍ରା ଜେନାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ସହିତ ମହିଳା ସଶକ୍ତିକରଣ ଦାୟିତ୍ୱ ମିଳିଛି।

ସୂଚନାଯୋଗ୍ୟ ଯେ, ଗତ ୧ତାରିଖରେ ବିଜେଡି ପକ୍ଷରୁ ଦଳୀୟ ସଂଗଠନର ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି କ୍ରମରେ ଦଳ ପକ୍ଷରୁ ନୂତନ ପଦାଧିକାରୀଙ୍କ ତାଲିକା ପ୍ରକାଶ ପାଇଥିଲା। ପୂର୍ବରୁ ବିଜେଡିର ସାଂଗଠନିକ ସମ୍ପାଦକ ଭାବେ ପ୍ରଣବ ପ୍ରକାଶ ଦାସଙ୍କୁ ଦାୟିତ୍ୱ ମିଳିଥିବା ବେଳେ ୧ତାରିଖରେ ଘୋଷିତ ତାଲିକାରେ ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି ଓ ଜଣେ ସାଧାରଣ ସମ୍ପାଦକ (ମୁଖ୍ୟାଳୟ)ଙ୍କ ନାମ ଘୋଷଣା କରାଯାଇଥିଲା।