ବାଇକକୁ ଧକ୍କା ଦେଲା ଟାଟା ମ୍ୟାଜିକ : ବାପା ମୃତ, ଅଳ୍ପକେ ବର୍ତ୍ତିଲେ ପୁଅ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ପତ୍ରାପାଲି ଛକରେ ଏକ ଦୁର୍ଘଟଣାରେ ବାପା ଦିନବନ୍ଧୁ (୫୭) ପ୍ରାଣ ହରାଇଥିବାବେଳେ ପୁଅ ତେଜରାମ (୩୨) ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ବାପ, ପୁଅ ବାଇକରେ ସିଂହାରପୁରରୁ ପତ୍ରାପାଲି ଗ୍ରାମକୁ ଆସୁଥିଲେ। ପଛପଟୁ ଆସୁଥିବା ଏକ ଟାଟା ମ୍ୟାଜିକ ସେମାନଙ୍କୁ ଧକ୍କାଦେଇ ଫେରାର ହୋଇଯାଇଥିଲା। ଲଖନପୁର ପୁଲିସ ପହଞ୍ଚି ସ୍ଥାନୀୟ ଯୁବକଙ୍କ ସହଯୋଗରେ ସେମାନଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ଡାକ୍ତର ଦିନବନ୍ଧୁଙ୍କୁ ମୃତ ଘୋଷଣା କରିଥିଲେ। ଫେରାର ମ୍ୟାଜିକ ଡ୍ରାଇଭର ମହାବୀରଦାସ ମହନ୍ତ(୩୫) ଓ ହେଲ୍ପରକୁ ସ୍ଥାନୀୟ ଯୁବକମାନେ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।