୫୦ଲକ୍ଷ ଟଙ୍କା ଜବତ ଘଟଣା, ସିଇଓଙ୍କୁ ଭେଟିଲେ ବିଜେଡି ପ୍ରତିନିଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପିପିଲି ଉପନିର୍ବାଚନ ପାଇଁ ଘମାଘୋଟ୍ ପ୍ରଚାର ଆରମ୍ଭ ହୋଇ ନଥିଲାବେଳେ ଏକ ପଲ୍ସର ଗାଡ଼ିରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଛି। ବିଜେପିର ଦୁଇନେତା ଏଥିରେ ସାମିଲ୍ ଥିବା ବିଜେପି ଅଭିଯୋଗ କରିଛି।
ସୋମବାର ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ଏହି ମର୍ମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ସାକ୍ଷାତ କରି ତୀବ୍ର ନିନ୍ଦା କରିଛି। ବିଜେଡିର ୪ ଜଣିଆ ପ୍ରତିନିଧିଦଳରେ ସାଂସଦ ଡ. ସସ୍ମିତ ପାତ୍ରଙ୍କ ସମେତ ଲେନିନ ମହାନ୍ତି, ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ ପ୍ରମୁଖ ସାମିଲ ଅଛନ୍ତି।
ସିଇଓଙ୍କୁ ଭେଟିବା ପରେ ଡ. ସସ୍ମିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି, ତାକାଜ ଛକ ନିକଟରୁ ୫୦ ଲକ୍ଷ ଟଙ୍କା ଜବତ କରିଛି ପିପିଲି ପୁଲିସ। ଏଥିପାଇଁ ନୀଳରଙ୍ଗର ପଲସର ସହ ୨ ସ୍ଥାନୀୟ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସେମାନେ ବିଜେପିର ବୋଲି ଜଣାପଡ଼ିଛି। ସିଇଓଙ୍କୁ ଏନେଇ ଅବଗତ କରାଯାଇଛି। ପୂର୍ବରୁ ବହୁ ନିର୍ବାଚନରେ ବିଜେପିର ଏଭଳି ଆଚରଣ ଦେଖାଯାଇଥିଲା। ଏଥର ବି ପୁଲିସ୍ ଧରିଲା ପରେ ତାହା ପ୍ରମାଣିତ ହୋଇଛି। ଉପ ନିର୍ବାଚନ ପାଖେଇ ଆସୁଥିବାରୁ ଲୋକଙ୍କୁ ଟଙ୍କା ବାଣ୍ଟି ପ୍ରଭାବିତ କରିବାର ଆଶଙ୍କା କରାଯାଉଛି। ଏହି ଟଙ୍କା କେଉଁଠୁ ଆସିଲା ଓ କିଏ ଦେଇଥିଲା ତା’ର ତଦନ୍ତ ହେବା ଦରକାର। ସିଇଓଙ୍କୁ ଭେଟି ଦଳ ଘଟଣାର ତଦନ୍ତ ଦାବି କରିଛି ବୋଲି ଡ. ପାତ୍ର କହିଛନ୍ତି।