ଟିକାକରଣର ସମୟରେ ପରିବର୍ତ୍ତନ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଟିକାକରଣର ସମୟରେ ସରକାର ପରିବର୍ତ୍ତନ କରିଛନ୍ତି। ସକାଳ ୮ଟାଠାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ଣ ୩ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୋଭିଡ୍ ଟିକା ପ୍ରଦାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ମାମଲା ପୁଣିଥରେ ଚିନ୍ତାଜନକ ଭାବେ ବୃଦ୍ଧି ପାଉଥିବାବେଳେ ଗ୍ରୀଷ୍ମପ୍ରବାହ ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ୍ ଟିକାକରଣ ଅବଧିରେ ପରିବର୍ତ୍ତନ କରିଛନ୍ତି। ଏବେ ରାଜ୍ୟରେ ଦୈନିକ ୨ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ସମସ୍ତ ସିଡିଏମଓଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାରୁ କୋଭିଡ୍ ଟିକାକରଣ ସମୟରେ ତୁରନ୍ତ ପରିବର୍ତ୍ତନ କରିବାକୁ ଶ୍ରୀ ମହାପାତ୍ର କହିଛନ୍ତି। ଟିକା ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଲୋକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।