ପୁଣି ସଭାପତି ଭାବେ ଅସିତ୍‌ ତ୍ରିପାଠୀ ନିର୍ବାଚିତ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜଧାନୀ କ୍ଲବରେ ସମ୍ଭାନ୍ତ ଲଢେଇର ଫଳାଫାଳ ପ୍ରକାଶ ପାଇଛି । ଭୁବନେଶ୍ବର କ୍ଲବକୁ ମିଳିଛି ନୂଆ ବସ୍ । ଅସିତ ତ୍ରିପାଠୀ ଭୁବନେଶ୍ବର କ୍ଲବ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଲଗାତାର ଦ୍ବିତୀୟ ଥର ପାଇଁ ସଭାପତି ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଏହାସହ ତାଙ୍କ ପ୍ୟାନେଲର ମଧ୍ୟ ବିଜୟ ହୋଇଛି । ଅସିତଙ୍କୁ ୮୫୮ଖଣ୍ଡ ଭୋଟ ମିଳିଛି । ୮୧.୫ ପ୍ରତିଶତ ଭୋଟ ପାଇଛନ୍ତି ଅସିତ ତ୍ରିପାଠୀ । ୬୨୨ ଖଣ୍ଡ ଭୋଟ ପାଇ ମହେନ୍ଦ୍ର ଗୁପ୍ତା ଉପ ସଭାପତି ନିର୍ବାଚିତ ହୋଇଥିବାବେଳେ ବରିଷ୍ଠ ପ୍ରଶାସକ ଦିଲ୍ଲୀପ ରାଉତରାୟ ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଭାବେ ଅଶୋକ ମିଶ୍ର ନିର୍ବାଚିତ ହୋଇଛନ୍ତି ।

ଭୁବନେଶ୍ବର କ୍ଳବ ସଭାପତି ପଦ ଦଖଲ ଲାଗି ନିର୍ବାଚନରେ ମୁହାଁମୁହିଁ ହୋଇଥିଲେ ଅବସରପ୍ରାପ୍ତ ଟପ୍ ବ୍ୟୁରୋକ୍ରାଟ ଅସିତ ତ୍ରିପାଠୀ ଓ ସତ୍ୟପ୍ରକାଶ ନନ୍ଦ । ହାଇପ୍ରୋଫାଇଲ ଭୁବନେଶ୍ବର କ୍ଲବର ସଭାପତି ରେସରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ପ୍ରତିଦ୍ବନ୍ଦିତା କରିଥିଲେ ପୂର୍ବତନ ଉନ୍ନୟନ କମିଶନର ସତ୍ୟପ୍ରକାଶ ନନ୍ଦ । ଅସିତଙ୍କ ଟିମରେ ଉପସଭାପତି ପଦ ପାଇଁ ମହେନ୍ଦ୍ର ଗୁପ୍ତା, ସମ୍ପାଦକ ପାଇଁ ଦିଲ୍ଲୀପ ରାଉତରାୟ ଓ ଯୁଗ୍ମ ସଚିବ ପଦ ପାଇଁ ଅଶୋକ କୁମାର ମିଶ୍ର ପ୍ରତିଦ୍ବନ୍ଦିତା କରିଥିଲେ । ମୋଟ ୧୯୫୦ ସଦସ୍ୟଙ୍କ ଭିତରୁ ୧୦୯୫ ସଦସ୍ୟ ମତଦାନ କରିଥିଲେ । ମତଦାନ ପାଇଁ କ୍ଲବ ପରିସରରେ ୫ଟି ବୁଥ ହୋଇଥିଲା ।

ସେହିପରି ସତ୍ୟପ୍ରକାଶ ଟିମରେ ଉପସଭାପତି ପ୍ରାର୍ଥୀ ହୋଥିଲେ ତାପେସ ରାୟ, ସମ୍ପାଦକ ପ୍ରାର୍ଥୀ ହୋଇଥିଲେ ମାନସ ରଞ୍ଜନ ଦାସ । ଯୁଗ୍ମ ସଚିବ ପାଇଁ ନିର୍ବାଚନ ଲଢିଥିଲେ ଜ୍ୟୋତିର୍ମୟ ମହାନ୍ତି । ଗତ ନିର୍ବାଚନରେ ଅନ୍ୟ ଜଣେ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକକୁ ୨୭୮ ଖଣ୍ଡ ଭୋଟରେ ପରାସ୍ତ କରି ଏହି ପ୍ରିମିୟମ କ୍ଳବର ସୁପ୍ରିମ ହୋଇଥିଲେ ଅସିତ ତ୍ରିପାଠୀ । ଚଳିତ ଥର ସମାନ ପ୍ରଦର୍ଶନ କରି ସଭାପତି ପଦ ଦଖଲ କରିଛନ୍ତି ଅସିତ୍ ତ୍ରିପାଠୀ । କ୍ଳବରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ତ୍ବାରାନ୍ବିତ କରାଯିବ ବୋଲି ବିଜୟ ପରେ ପ୍ରତିକ୍ରିୟାରେ କହିଛନ୍ତି ଅସିତ ତ୍ରିପାଠୀ ।