ମୁନିଗୁଡ଼ାରେ ବିଜେଡି ପ୍ରତିଷ୍ଠା ଦିବସ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗଡ଼ା ବ୍ଲକରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ବିଜେଡି ଆଜିକୁ ୨୬ ବର୍ଷ ତଳେ ଓଡ଼ିଶାରେ ଏକ ଆଞ୍ଚଳିକ ଦଳ ଭାବେ ଜନ୍ମ ନେଇଥିଲା ।୨୬ ବର୍ଷ ଅତିକ୍ରାନ୍ତ କରି ୨୭ ବର୍ଷରେ ପାଦ ଥାପିଥିବା ବିଜେଡି ଆଜି ସମଗ୍ର ରାଜ୍ୟରେ ସଭିଙ୍କ ବିଶ୍ୱାସ, ଭରଷା ଓ ଆଶାର ପ୍ରତୀକ ସାଜି ଦୀର୍ଘ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ହେବ ସାଧାରଣ ଲୋକଙ୍କ ସେବାରେ ନିରନ୍ତର କାର୍ଯ୍ୟ କରି ଚାଲିଛି ବୋଲି ମୁନିଗୁଡ଼ା ବ୍ଲକ ବିଜେଡି ସଭାପତି ରତନ ଲାଲ ଜୈନ କହିଛନ୍ତି । ଏହାସହ ଶ୍ରୀ ଜୈନ ସମସ୍ତ ଦଳୀୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ, ସ୍ୱପ୍ନ ଓ ଲକ୍ଷ୍ୟକୁ କେନ୍ଦ୍ର କରି ନିଜ ନିଜ ଅଞ୍ଚଳରେ ସାଧାରଣ ଲୋକଙ୍କ ପାଇଁ ସମର୍ପିତ ଭାବନା ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପରେ ସଭାପତି ଶ୍ରୀ ଜୈନଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗୌଡ଼, ଯୁବ ନେତା ରମେଶ କନ୍ଧପାଣି, ଭୋଲାନାଥ ଦୁବେ, ଶୀମାଞ୍ଚଳ ଦାସ ଓ ଉତ୍ତମ ବେହେରା ପ୍ରମୁଖ ଅନେକ ଦଳୀୟ ନେତା ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସ୍ୱେଛାସେବୀ ଅନୁଷ୍ଠାନ ଭିନ୍ନକ୍ଷମ ସେବା ସଦନକୁ ଯାଇ ଦିବ୍ୟାଙ୍ଗ ଓ ରୋଗୀଙ୍କୁ ଫଳ, ବିସ୍କୁଟ ଓ ଶୀତବସ୍ତ୍ର ବାଣ୍ଟିଥିଲେ ।