ମା’ ଛେଉଣ୍ଡ ଗରିବ ଝିଅର କନ୍ୟାଦାନ କଲେ ବିଜେଡି ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଗରିବ ମା’ ଛେଉଣ୍ଡ ଝିଅର ଠିକ ହୋଇଥିବା ବିବାହ ଅର୍ଥାଭାବ କାରଣରୁ ଭାଙ୍ଗିବାକୁ ଯାଉଥିବାବେଳେ ବିଜେଡି ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ଉଦ୍ୟମ ଓ ବିଜେଡି ଯୁବ ଗୋଷ୍ଠୀଙ୍କ ସହଯୋଗରେ ଆଜି ବିବାହ ସମ୍ପର୍ଣ୍ଣ ହୋଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ବାରକୋଟ ବ୍ଲକ ବଲମ ପଞ୍ଚାୟତର କ୍ଷୀରୋଦ ନାୟକ ମାନସିକ ରୋଗୀ ହୋଇଥିବାବେଳେ ଝିଅ ମିନାକ୍ଷୀ ଜନ୍ମ ହେବାର କିଛି ବର୍ଷ ପରେ ମା’ ଆରପାରିକୁ ଚାଲି ଯାଇଥିଲେ। ତେବେ ଝିଅ ବିବାହ ବୟସ ହେବାରୁ ସମ୍ପର୍କୀୟମାନେ ତିଳେଇବଣି ବ୍ଲକ କଳାମାଟି ଗ୍ରାମର ମନୋଜ ନାୟକ ନାମକ ଯୁବକଙ୍କ ସହ ବିବାହ ପାଇଁ ଆଜି ଦିନ ଧାର୍ଯ୍ୟ କରିଥିଲେ । ମାତ୍ର ଗତକାଲି ସୁଦ୍ଧା ସମ୍ପର୍କୀୟମାନେ ଅର୍ଥ ଯୋଗାଡ଼ କରିନପାରିବାରୁ ବିବାହ ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ ଥିଲା । ତେବେ ବଳମ ଗ୍ରାମର ରଞ୍ଜିତ କୁମାର ପ୍ରଧାନ ଏସମ୍ପର୍କରେ ବାରକୋଟ ବ୍ଲକ ବିଜେଡି ସଭାପତି ହୀରାଧର ସାହୁ ଓ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଜଣାଇବା ପରେ ସେ ବିବାହର ସମସ୍ତ ଭାର ବହନ କରିଥିଲେ । ଏହାସହ ଝିଅ ପାଇଁ ଘରୋଇ ଉପକରଣ ଓ ଆସବାବ ପତ୍ର ଯୋଗାଡ଼ କରିଥିଲେ ଏବଂ ବିବାହ ଭୋଜିର ଆୟୋଜନ କରି ପୂର୍ବ ନିର୍ଦ୍ଧାରିତ ତାରିଖରେ ହିଁ ଆଜି ମିନାକ୍ଷୀର ବିବାହ କରାଇଥିଲେ । ଏହି ମହତ କାର୍ଯ୍ୟ ସମ୍ପାଦନ କରିବାରେ ବାରକୋଟ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ବେହେରା, ମୀନକେତନ ପ୍ରଧାନ, ପ୍ରକାଶ ଚନ୍ଦ୍ର ପ୍ରଧାନ, ଶ୍ରୀଧର ଦୀପ, ଦୟାନିଧି ବେହେରା, ରୁଦ୍ରମଣି ବେହେରା ଓ ସିକୁ ପ୍ରଧାନ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।