ଗଞ୍ଜେଇ ସହ ବାଇକ ଜବତ, ୨ ମାଫିଆ ଗିରଫ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଧରିବାରେ ସଫଳ ହୋଇଛି । ୪୧ କେଜି ୧୦୦ ଗ୍ରାମ ଓଜନର ଗଞ୍ଜେଇ ଓ ବାଇକ ଜବତ କରିବା ସହ ଘଟଣାରେ ସଂପୃକ୍ତ ୨ଜଣ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛିି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଛତିଶଗଡ଼ର ଦେଓଭୋଗ ଅଞ୍ଚଳର ସମୀର ସୋନୀ ଓ ଶ୍ୟାମଲାଲ ସୋନୀ । ମିଳିଥିବା ରିପୋର୍ଟ ମୁତାବକ, ବାଲିଗୁଡ଼ା ଥାନା ପୁଲିସ ପେଟ୍ରୋଲିଂ କରୁଥିବାବେଳେ ବିପୁଳ ପରିମାଣର ବେଆଇନ ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା । ପରେ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିଲା । ଗଞ୍ଜେଇ ଧରି ଦ୍ରୁତ ଗତିରେ ଯାଉଥିବା ବାଇକକୁ ବାଲିଗୁଡା ଥାନା ସିନ୍ଦ୍ରିଗାଁ ପଞ୍ଚାୟତ କିଲାରଘାଟ ନିକଟରେ କାବୁ କରିବାରେ ପୁଲିସ ସକ୍ଷମ ହୋଇଥିଲା । ଜବତ ଗଞ୍ଜେଇ ବାଲିଗୁଡ଼ା ଥାନା ଅଞ୍ଚଳରୁ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି । ଏନେଇ ବାଲିଗୁଡ଼ା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ବାଲିଗୁଡ଼ା ଥାନାଧିକାରୀ ବାବାଶଙ୍କର ସରାଫ୍ ପ୍ରକାଶ କରିଛନ୍ତି ।