ସାମ୍ବାଦିକ ସମ୍ମିଳନୀ ଅଧାରୁ ଛାଡ଼ି ଚାଲିଗଲେ ବିଜେଡି ନେତା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଜିଲ୍ଲାରେ ଚାଲିଥିବା ରାଜନେତା ଓ ପ୍ରଶାସକଙ୍କ କଳି ଆଜି ଏକ ଭିନ୍ନ ମୋଡ଼ ନେଇଥିବା ଦେଖିବାକୁ ମିଳିଛି । ଏହିକ୍ରମେ ବିଜେଡି ଆଉ ପାଦେ ଆଗକୁ ଯାଇ ଆଜି ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କ କୁଶପୁତ୍ତଲିକା ଦାହ କରିଛି । କନକ ଓ ସଂଗୀତା ସରକାରୀ ଅଧିକାରୀ ତଥା ଜନ ପ୍ରତିନିଧିମାନଙ୍କୁ ର୍ଦୁବ୍ୟବହାର କରୁଥିବା ଦର୍ଶାଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲା । ଏଥିରେ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଠିକ ଭାବେ ଦେଇ ନ ପାରି ‘ନୋ ମୋର୍ କୋଶ୍ଚିନ୍‌…’ କହି ସମ୍ମିଳନୀ ସ୍ଥାନ ଛାଡ଼ି ଆୟୋଜକ ଚାଲି ଯାଇଥିଲେ । ସାମ୍ବାଦିକମାନେ ଦୀର୍ଘ ସମୟ ଧରି ଆୟୋଜକଙ୍କ ପ୍ରତିକ୍ରିୟା ପାଇଁ ଅପେକ୍ଷା କରି ରହିଥିଲେ ମଧ୍ୟ କାହାରି ଦେଖା ନପାଇ ଶେଷରେ ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ । ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟରେ ବିଜେଡି ନେତା ରାଜକୁମାର ପାଣିଗ୍ରାହୀ, ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ବେଲପଡ଼ା ବ୍ଲକ ଅଧ୍ୟକ୍ଷା ଟିନା କୁମ୍ଭାର ଓ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରଥମେ ସାମ୍ବାଦିକଙ୍କୁ ସମ୍ବୋଧନ କରି ସମଗ୍ର ନିର୍ବାଚନ ମଣ୍ଡଳୀରେ ଉନ୍ନତିମୂଳକ କାର୍ଯ୍ୟ ଆଗେଇ ଚାଲିଥିବାରୁ ଅସହିଷ୍ଣୁ ଭାବ ପ୍ରଦର୍ଶନ କରି ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ ବେଲପଡ଼ା ବିଡିଓ ଏବଂ ଅଧ୍ୟକ୍ଷାଙ୍କ ପ୍ରତି କଟୁ ମନ୍ତବ୍ୟ ପ୍ରଦାନ କରିଛନ୍ତି । ଅନ୍ୟପଟେ ଲୋକସଭା ସାଂସଦ ସଂଗୀତା କୁମାର ସିଂ ଦେଓ ଦିଶା ବୈଠକରେ ସରକାରୀ ଅଧିକାରୀ ଏବଂ ବ୍ଲକ ଅଧ୍ୟକ୍ଷଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ପ୍ରଦାନ କରିଥିବା ନେଇ ବରିଷ୍ଠ ବିଜେଡି ନେତା ରାଜକୁମାର ପାଣିଗ୍ରାହୀ ଅଭିଯୋଗ ଆଣିଥିଲେ । ତେବେ ସାମ୍ବାଦିକମାନେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଚାହିଁବା ପରେ ‘ନୋ ମୋର କୋଶ୍ଚିନ’ କହି ସେହି ସ୍ଥାନ ଛାଡ଼ ଚାଲି ଯାଇଥିଲେ । ସାମ୍ବାଦିକମାନେ ପ୍ରତିକ୍ରିୟା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ମଧ୍ୟ ବିଜେଡ଼ି ଦଳର ନେତାମାନେ ଘର ଭିତରେ ରହି ଯାଇଥିଲେ ।