ଅପରାଜିତାଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚାଲିଛି ଉଦ୍ୟମ: ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ବିଜେପି ସଂଗଠନରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବେଆଇନ୍‍ କାର୍ଯ୍ୟକୁ ଘଣ୍ଟ ଘୋଡ଼ାଇବା ପାଇଁ ଦଳୀୟ ନେତା ବାବୁ ସିଂହ ଆଗକୁ ଆସିଛନ୍ତି। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ଭୁବନେଶ୍ୱର ବିଜେପିରେ ଏବେ ଗୋଷ୍ଠୀ ବିବାଦ ଜୋରସୋର ଭାବେ ଚାଲିଥିବା ସମସ୍ତେ ଜାଣିଛନ୍ତି। ବାବୁ ସିଂହ ହେଉଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଏକାନ୍ତ ଅନୁଗତ। ଶ୍ରୀମତୀ ଷଡ଼ଙ୍ଗୀ ରାଜନୈତିକ ସଭା ସମିତି କରି ଜାଣିଶୁଣି କୋଭିଡ ପାଇଁ ଜାରି ହୋଇଥିବା କେନ୍ଦ୍ରୀୟ ମାର୍ଗଦର୍ଶିକାକୁ ଉଲ୍ଲଙ୍ଘନ କରୁଛନ୍ତି। ଯେଉଁଥିପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭୁବନେଶ୍ୱର ବିଜେପିର ଗୋଷ୍ଠୀ କନ୍ଦଳ ଏବଂ କରୋନା ମାର୍ଗଦର୍ଶିକା ଉଲ୍ଲଙ୍ଘନରୁ ନଜର ହଟାଇବା ସହିତ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ବେଆଇନ କାର୍ଯ୍ୟକୁ ଘଣ୍ଟ ଘୋଡ଼ାଇବା ପାଇଁ ଶ୍ରୀ ସିଂହ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୋଭିଡ ସଂକ୍ରାନ୍ତୀୟ ଜାତୀୟ ମାର୍ଗଦର୍ଶିକାକୁ ପାଳନ କରିବାପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବ୍ୟକ୍ତି ଯେତେ ବଡ଼ ହୁଅନ୍ତୁ ନା କାହିଁକି, କୋଭିଡ ନିୟମ ଭଙ୍ଗ କଲେ ତାଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। କିନ୍ତୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ରାଜନୈତିକ ସଭା ଜରିଆରେ ବାରମ୍ବାର କୋଭିଡ ନିୟମ ଉଲ୍ଲଙ୍ଘନ କରିବାରେ ଲାଗିଛନ୍ତି।

ଜନସାଧାରଣଙ୍କ ନଜର ଏ ଦିଗରୁ ହଟାଇବାପାଇଁ ବାବୁ ସିଂହଙ୍କ ଆଜିର ସାମ୍ବାଦିକ ସମ୍ମିଳନୀ ଉଦ୍ଦିଷ୍ଟ। କରୋନା ନିୟମ ଭାଙ୍ଗିବା ଅଭିଯୋଗରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ବିରୋଧରେ ବିଏମ୍‍ସି କମିଶନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଏଥିରେ ଉତ୍‍କ୍ଷିପ୍ତ ହୋଇ ଶ୍ରୀ ସିଂହ ବିଏମ୍‍ସି କମିଶନରଙ୍କ ବିରୋଧରେ ବିଷ ଓଗାଳୁଛନ୍ତି। କରୋନା ସଂକ୍ରମିତ ଦେଶ ତାଲିକାରେ ଭାରତ ଏବେ ବିଶ୍ୱର ତୃତୀୟ ସ୍ଥାନରେ ପହଞ୍ଚିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ହୀନ ରାଜନୀତି କରିବା ବଦଳରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ତାଙ୍କର ବେଆଇନ୍‍ କାର୍ଯ୍ୟକଳାପ ପାଇଁ କ୍ଷମା ମାଗିବା ସହିତ କରୋନା ମୁକାବିଲା ଯୁଦ୍ଧରେ ସାମିଲ ହେବାଲାଗି ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି।