ଅଞ୍ଚଳରେ ଗୟଳ ଆତଙ୍କ, ଆକ୍ରମଣରେ ତିନିଜଣ ଗୁରୁତର

ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଘଡୁଆଳ ଗ୍ରାମରେ ଗୋଟିଏ ଜଙ୍ଗଲୀ ଗୟଳ ଆକ୍ରମଣରେ ୩ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।ତେବେ ଆହତ ବ୍ୟକ୍ତିମାନେ ହେଲେ ସମ୍ବାରୀ ବରାଡ଼, ବାବୁଲା ପାଳ ଓ ଶରତ ପଣ୍ଡା।

ସୂଚନାନୁସାରେ ସୋମବାର ସକାଳେ ଘଡୁଆଳ ଗ୍ରାମର ଜଣେ ବ୍ୟକ୍ତି ଲେମ୍ବୁ ତୋଳିବାକୁ ନିଜ ବାଡ଼ିକୁ ଯାଇଥିବା ବେଳେ ଏକ ଗୟଳ ଶୋଇଥିବା ଦେଖି ଡରି ବଡ଼ ପାଟିରେ ଚିତ୍କାର କରିଥିଲା। ଫଳରେ ଗୟଳଟି ତରକି ଯାଇ ସେ ଲୋକଟିକୁ ଆକ୍ରମଣ କରିବାକୁ ଧାଇଁ ଆସିଲା। ଭୟଭୀତ ହୋଇ ସେ ଲୋକଟି ଦୌଡ଼ି ପଳାଇ ଗୟଳ ହାବୁଡ଼ରୁ ବର୍ତ୍ତିଯାଇଥିଲା। କିନ୍ତୁ ଏହି ସମୟରେ ଗୟଳଟି ବାଟରେ ଆଉ ତିନି ଜଣଙ୍କୁ ଭୁସି ଥିବା ଜଣାପଡ଼ିଛି।

ପରେ ଖବରପାଇ ନୟାଗଡ଼ ରେଞ୍ଜର୍‌ ସୁଶାନ୍ତ ସ୍ୱାଇଁ ବନକର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ଗୟଳ ଘୋଡାଇବାକୁ ଉଦ୍ୟମ କରି ନାକେଦାମ ହୋଇଥିଲେ। ବହୁ ସମୟ ପରେ ବନକର୍ମଚାରୀମାନେ ଗୟଳକୁ ଜଙ୍ଗଲ ଅଭିମୁଖେ ନେଇଥିବା ଜଣାପଡ଼ିଛି।