ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବଳଭଦ୍ର ଜନ୍ମ ନୀତି

ପୁରୀ,ଏନ୍ଏନ୍ଏସ୍: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ବଳଭଦ୍ର ଜନ୍ମ ନୀତି। ସର୍ବ ବୃହତ ରାକ୍ଷୀ ପିନ୍ଧିବେ ମହାପ୍ରଭୁ। ଏହି ଅବସରରେ ପାଟରା ସେବକ ପବିତ୍ର ପଟ ବସ୍ତ୍ରରେ ସୁବର୍ଣ୍ଣ ଖଚିତ ଗୁଆ ରାକ୍ଷୀ ଏବଂ ଗୁଆର ମାଳି ମହାପ୍ରଭୁଙ୍କୁ ଲାଗି ହୋଇଥାଏ। ଏହି ପବିତ୍ର ନୀତି ଶ୍ରାବଣ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଭୋଗ ମଣ୍ଡପ ପରେ ଶ୍ରୀଜୀଉ ମାନଙ୍କର ମଇଲମ ହୋଇ ମହାସ୍ନାନ ହୋଇଥାଏ। ପରେ ମହାପ୍ରଭୁମାନେ ନୂତନ ବସ୍ତ୍ର ପରିଧାନ କରିବା ପରେ ପାଳିଆମାନେ ମହାପ୍ରଭୁଙ୍କ ଶ୍ରୀଭୁଜରେ ପବିତ୍ର ରାକ୍ଷୀ ବାନ୍ଧିଥାନ୍ତି।

ସେପଟେ ସୁଦର୍ଶନ ବିଜେ ନିମନ୍ତେ ଆଜ୍ଞାମାଳ ପାଇଁ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ଝୁଲଣ ମଣ୍ଡପକୁ ବିଜେ ହେବା ପରେ ପାଳିଆ ଖୁଣ୍ଟିଆ ଲଣ୍ଡା ବର୍ତ୍ତଠାରେ ଦଇତାପତିମାନଙ୍କୁ ଡାକିଥାନ୍ତି। ଦଇତାପତିମାନେ ସିଂହାସନକୁ ଯିବା ପୂର୍ବରୁ ମହାପ୍ରଭୁଙ୍କ ଅଙ୍ଗରୁ ଆଜ୍ଞାମାଳ ଶ୍ରୀ ସୁଦର୍ଶନଙ୍କୁ ଦିଆଯାଇଥାଏ। ପରେ ଦଇତାପତିମାନେ ଶ୍ରୀ ସୁଦର୍ଶନଙ୍କୁ ଚଉଦଳରେ ବିଜେ କରାଇଥାନ୍ତି। ଚାଙ୍ଗଡା ମେକାପ ଦେଇଥିବା ପାଟ, ଦୟଣା ମାଳି ତଥା ସେବାୟତ ଦେଇଥିବା ଚୂଳ, ପାଳିଆ ଓ ଖୁଣ୍ଟିଆ ସୁଦର୍ଶନଙ୍କୁ ଲାଗି କରାଯାଇଥାଏ। ପରେ ଭଣ୍ଡାର ମେକାପ ଦ୍ୱାରା ଦିଆଯାଇଥିବା ସ୍ୱର୍ଣ୍ଣ ଅଳଙ୍କାର ସୁଦର୍ଶନଙ୍କୁ ଲାଗି କରାଯାଇଥାଏ। ବିମାନବଡ଼ୁ ସେବକ ସୁଦର୍ଶନଙ୍କୁ ଚଉଦରେ ନେଇ ମାର୍କଣ୍ଡକୁ ଯାଇଥାନ୍ତି ଓ ସେଠାରେ ଥିବା ଗମ୍ଭାବେଦୀ ଉପରେ ସୁଦର୍ଶନଙ୍କୁ ବିଜେ କରାଇଥାନ୍ତି।