ସରିଲା ଚିଲିକାରେ ପକ୍ଷୀ ଗଣନା, ୨ ନୂଆ ପ୍ରଜାତିର ଅତିଥି ପକ୍ଷୀଙ୍କ ସହ ବଢିଛି ସଂଖ୍ୟା

ଖୋର୍ଦ୍ଧା,ଏନ୍ଏନ୍ଏସ୍: ସରିଲା ଚିଲିକାରେ ପକ୍ଷୀ ଗଣନା। ଚଳିତବର୍ଷ ଚିଲିକାକୁ ଆସିଛନ୍ତି ୧୨ ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀ। ତେବେ ଗତବର୍ଷ ତୁଳନାରେ ଚିଲିକାକୁ ୧ ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀ ଆସିଛନ୍ତି। ଲଗାତାର ୨ ବର୍ଷ ଧରି ଚିଲିକାକୁ ୧୦ ଲକ୍ଷରୁ ଅଧିକ ପକ୍ଷୀ ଆସୁଛନ୍ତି। ତେବେ ଏବର୍ଷ ଚିଲିକାକୁ ୨ଟି ନୂଆ ପ୍ରଜାତିର ଅତିଥି ପକ୍ଷୀ ଆସିଥିବା ଚିଲିକା ଡିଭିଜନର ଡିଏଫଓ କହିଛନ୍ତି।

ସୂଚନା ଅନୁସାରେ ଚଳିତ ବର୍ଷ ଚିଲିକାକୁ ୧୯୦ ପ୍ରଜାତିର ମୋଟ ୧୨ ଲକ୍ଷ ୪୨ ହଜାର ୮୨୬ଟି ପକ୍ଷୀ ଆସିଛନ୍ତି। ଏହି ଗଣନା କାର୍ଯ୍ୟରେ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟିର ଅଧିକାରୀ ଓ କର୍ମକର୍ତ୍ତା, ବନ ବିଭାଗର କର୍ମଚାରୀ, ପକ୍ଷୀ ବିଶାରଦ, ବନ୍ୟପ୍ରାଣୀ ଉପରେ କାମ କରୁଥିବା ସାମାଜିକ ସଂଗଠନର ଅଭିଜ୍ଞ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଚିଲିକା ଡିଭିଜନର ୫ଟି ରେଞ୍ଜ ତଥା ଟାଙ୍ଗୀ, ସାତପଡ଼ା, ନୂଆପଡ଼ା, ରମ୍ଭା, ବାଲୁଗାଁ ରେଞ୍ଜରେ ପକ୍ଷୀ ଗଣନା କାର୍ଯ୍ୟ ହୋଇଥିଲା।