ବୀରଭୂମ ହିଂସାକାଣ୍ଡ: ସଂସଦରେ ଗର୍ଜିଲେ ବିଜେପି ସାଂସଦ, କାଲି ଘଟଣାସ୍ଥଳ ଗସ୍ତ କରିବେ ମମତା

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗର ବୀରଭୂମରେ ଘଟିଥିବା ରାଜନୈତିକ ହିଂସାକାଣ୍ଡରେ ମୋଟ ୯ ଜଣ ପ୍ରାଣ ହରାଇଥିବାବେଳେ ଏନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଛି। ଆଜି ଏହି ଘଟଣାକୁ ସଂସଦରେ ମଧ୍ୟ ଉଠାଇଛନ୍ତି ବିଜେପି ସାସଂଦ। ପଶ୍ଚିମବଙ୍ଗରେ ଜଙ୍ଗଲରାଜ ଚାଲିଛି। ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ଶାସନରେ ଥିବା ଟିଏମସି ପ୍ରାୟୋଜିତ ଭାବେ ବିରୋଧୀ ଦଳର କର୍ମୀଙ୍କ ଉପରେ ଆକ୍ରମଣ କରି ହିଂସା ସୃଷ୍ଟି କରୁଥିବା ଦର୍ଶାଇଛନ୍ତି ବିଜେପି ସାଂସଦ ଡ.ସୁକାନ୍ତ ମଜୁମଦାର। ଆଜି ସୁକାନ୍ତ ଏହି ପ୍ରସଙ୍ଗ ଲୋକସଭାରେ ଉଠାଇଥିବାବେଳେ ନିର୍ବାଚନ ପରେ ବିଜେପି କର୍ମୀଙ୍କୁ ଟାର୍ଗେଟ କରାଯାଉଥିବା ଦର୍ଶାଇଥିଲେ।

ଏପଟେ ଏହି ଘଟଣାରେ ପଶ୍ଚିମବଙ୍ଗ ରାଜ୍ୟପାଳ କହିଛନ୍ତି, ଦୋଷୀକୁ ଘଣ୍ଟ ଘୋଡାଇବା ପାଇଁ ପ୍ରୟାସ ହେଉଛି। ଏହାସହିତ ରାଜ୍ୟପାଳ ମଧ୍ୟ ଘଟଣାରେ ଟ୍ବିଟ୍ କରି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏପରିକି ପ୍ରସଙ୍ଗ ମଧ୍ୟ ଉଠିଛି, ପଶ୍ଚିମବଙ୍ଗ ହାଇକୋର୍ଟରେ। ହାଇକୋର୍ଟଙ୍କ ପକ୍ଷରୁ ପ୍ରତ୍ୟକ୍ଷଦର୍ଶୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଲାଣି। ଗତ କିଛି ସପ୍ତାହରେ ୨୬ ବଜେପି କର୍ମୀଙ୍କୁ ହତ୍ୟା କରାଗଲାଣି ବୋଲି ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ବିଜେପିର ଜଣେ କାଉନସିଲରଙ୍କୁ ହତ୍ୟା କରାଯାଇଥିବା ବେଳେ ସାଂସଦ ମଧ୍ୟ ବୋମା ମାଡର ଶିକାର ହୋଇଥିବା ସେ ଦର୍ଶାଇଥିଲେ। ତେଣୁ କୌଣସି ରାଜ୍ୟରେ ରାଜନୈତିକ ଅରାଜକତା ଦେଖାଗଲେ ସାମ୍ଭିଧାନିକ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ସେ ଗୃହରେ ଦାବି କରିଥିଲେ।

ବିଜେପି ସାଂସଦମାନେ ସଂସଦ ବାହାରେ ହାତରେ ପ୍ଲାକକାର୍ଡ ଧରି ଘଟଣାକୁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରାୟୋଜିତ ହିଂସା ବୋଲି ଦର୍ଶାଇ ଧାରଣାରେ ଦେଇଥିଲେ। କେନ୍ଦ୍ର ତୁରନ୍ତ ଏପରି ସ୍ଥଳେ ହସ୍ତକ୍ଷେପ କରୁ ବୋଲି ଦାବି ମଧ୍ୟ କରିଥିଲେ। ଗୃହରେ ତୃଣମୂଳ କଂଗ୍ରେସରୁ ଉତ୍ତର କୋଲକାତାରୁ ସାଂସଦ ଥିବା ସୁଦୀପ ବନ୍ଦୋପାଧାୟ ଘଟଣାରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି ଓ ପୁଲିସ ଯୁଦ୍ଧାକଳୀନ ଭିତ୍ତିରେ ତଦନ୍ତ ଜାରି ରଖିଛି ବୋଲି କହିବା ସହ ଏଥିରେ ରାଜନୀତି ନକରିବା ପାଇଁ ମଧ୍ୟ କହିଥିଲେ।