ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରେ କନ୍ୟା ସନ୍ତାନଙ୍କ ଆତ୍ମ ସୁରକ୍ଷା ଉଦ୍ଦେଶ୍ୟରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନ୍ତର୍ଗତ “ବିରଙ୍ଗନା’କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ଛାତ୍ରୀ ନିଜ ନାମ ପଞ୍ଜିକରଣ କରି ବିରଙ୍ଗନା କାର୍ଯ୍ୟକ୍ରମ ଅନ୍ତର୍ଗତ ୧୫ ଦିନିଆ ଆତ୍ମ ସୁରକ୍ଷା ତାଲିମ ଶିବିରରେ ଅଂଶଗ୍ରହଣ କରିଥିବା ଜଣାପଡ଼ିଛି । ସକାଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସ, ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ ଓ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ପ୍ରମୁଖ ମଞ୍ଚାସିନ ରହି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆକାଶକୁ ଶତାଧିକ ବେଲୁନ ଉଡାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସାରା ଦେଶରେ ୬୩୦ଟି ଜିଲ୍ଲାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଚାଲିଥିବାବେଳେ ଦେବଗଡ଼ ଜିଲ୍ଲା ବିରଙ୍ଗନା କାର୍ଯ୍ୟକ୍ରମ ଆରମ୍ଭ କରିବାରେ ପ୍ରଥମ ବୋଲି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରୀ ଓ ଅଭିଭାବକ ସାମିଲ ହୋଇଥିଲେ ।