ଦମଦାର ଦାଦାଙ୍କ ବାୟୋପିକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କ ଉପରେ ବାୟୋପିକ ନିର୍ମାଣ ହେବ। ନିଜେ ଗାଙ୍ଗୁଲୀ ଟ୍ୱିଟ୍ କରି ଏହା ଉପରୁ ପରଦା ଉଠାଇଛନ୍ତି। ଗାଙ୍ଗୁଲୀ ଲେଖିଛନ୍ତି ଯେ, ‘କ୍ରିକେଟ ମୋର ଜୀବନ ରହିଛି। ଏହା ସର୍ବଦା ମୋ ମସ୍ତକକୁ ଉଚ୍ଚରେ ରଖିବା ପାଇଁ ଆତ୍ମବିଶ୍ୱାସ ଓ କ୍ଷମତା ପ୍ରଦାନ କରିଛି। ଏହି ଯାତ୍ରାକୁ ଦେଖାଯିବା ଉଚିତ। ଲବ ଫିଲ୍ମସ ମୋ ଯାତ୍ରା ଉପରେ ଏକ ଫିଲ୍ମ ପ୍ରସ୍ତୁତ କରି ତାକୁ ବଡ଼ ପରଦାରେ ଜୀବନ୍ତ କରିବାକୁ ନେଇ ମୁଁ ବେଶ୍ ଉତ୍ସାହିତ ଅଛି।’

ସୂଚନାଯୋଗ୍ୟ, ସୌରଭ ଗାଙ୍ଗୁଲୀଙ୍କ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ଅନ୍ୟ ୨ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଓ ମହେନ୍ଦ୍ର ସିଂଙ୍କ ଧୋନୀଙ୍କ ବାୟୋପିକ ନିର୍ମାଣ ହୋଇଛି। ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଧୋନୀଙ୍କ ବାୟୋପିକରେ ନଜର ଆସିଥିଲେ। ଫିଲ୍ମଟି ଦର୍ଶକଙ୍କ ଦ୍ୱାରା ବେଶ୍ ଆକୃଷ୍ଟ ହୋଇଥିଲା। ଏବେ ଦେଖିବାକୁ ବାକି ରହିଲା ଦମଦାର ଦାଦାଙ୍କ ଭୂମିକାରେ ବଲିଉଡର କେଉଁ ଅଭିନେତା ନଜର ଆସିବେ।