୭୫ ଲକ୍ଷରେ ନିର୍ମାଣହେବ ଜୈବ ଗବେଷଣାଗାର

ସମ୍ବଲପୁର,ଏନ୍ଏନ୍ଏସ୍: କୃଷିକ୍ଷେତ୍ର ଓ କୃଷକଙ୍କ ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ବଲପୁର ଜିଲ୍ଲାରେ ଅଧିକାଂଶ କୋଠା ନିର୍ମାଣରେ ସୀମିତ ରହିଛି ବୋଲି ଅଭିଯୋଗ ହେଉଛି। ପ୍ରାୟ ୭ ବର୍ଷ ତଳେ ସମ୍ବଲପୁରସ୍ଥିତ ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ନିକଟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ରାଜ୍ୟର ଦ୍ୱିତୀୟ କୀଟନାଶକ ପରୀକ୍ଷାକେନ୍ଦ୍ର ନିର୍ମାଣ ହୋଇଥିଲା। ତେବେ ଆବଶ୍ୟକ କର୍ମଚାରୀ ଅଭାବରୁ ସବୁ ଯନ୍ତ୍ରପାତି ଥାଇ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇପାରୁନି। ଏହାକୁ ନେଇ ଚାଷୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ପୁଣି ୭୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଜିଲ୍ଲାରେ ଜୈବ ନିୟନ୍ତ୍ରଣ ଗବେଷଣାଗାର ନିର୍ମାଣ ହେବ ବୋଲି ଜଣାପଡ଼ିଛି। ଫଳରେ ଏହାକୁ ନେଇ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଫସଲରେ ଲାଗୁଥିବା ପୋକକୁ ନିୟନ୍ତ୍ରଣ କରିବାକୁ ଉକ୍ତ ଗବେଷଣାଗାରରେ ଉପକାରୀ ପୋକଙ୍କ ବଂଶ ବିସ୍ତାର କରାଯିବ। ଅଞ୍ଚଳରେ ଫସଲରେ ଲାଗୁଥିବା ବିଭିନ୍ନ ପ୍ରକାର ପୋକ ଜନିତ ସମସ୍ୟାକୁ ନିୟନ୍ତ୍ରଣ କରିବାକୁ ଆଉ କୀଟନାଶକ ଉପରେ ନିର୍ଭର ନକରି ଗବେଷଣା ଗାରରେ ବିକଶିତ ହୋଇଥିବା ପୋକଙ୍କୁ ନେଇ ପୋକ ଲାଗିଥିବା କ୍ଷେତରେ ଛଡାଯିବ। ଏଥିପାଇଁ କୋଠା ନିର୍ମାଣ ପରେ କର୍ମଚାରୀ ନିଯୁକ୍ତି ସହ ଗବେଷଣାଗାର ପାଇଁ ଆବଶ୍ୟକ ଯନ୍ତ୍ରପାତି ବ୍ୟବସ୍ଥା କରାଯିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚକଡ଼ା, ପତ୍ରମୋଡ଼ା ଓ କାହାଳିଆ ଆଦି ପୋକ ସମସ୍ୟା ଯୋଗୁଁ ପ୍ରତିବର୍ଷ ଜିଲ୍ଲାରେ ହଜାର ହଜାର ଏକର ଫସଲ ନଷ୍ଟ ହେଉଥିବାରୁ ଏହି ଗବେଷଣାଗାର ପ୍ରତିଷ୍ଠା ହେଲେ ବେଶ ସହାୟକ ହେବ ବୋଲି କୁହାଯାଇଛି। ତେବେ ୭ ବର୍ଷ ତଳେ ନିର୍ମାଣ ହୋଇଥିବା କୀଟନାଶକ ପରୀକ୍ଷା କେନ୍ଦ୍ରରେ ସମସ୍ତ ପ୍ରକାର ଯନ୍ତ୍ରପାତି ଥାଇ ମଧ୍ୟ କେବଳ କର୍ମଚାରୀ ଅଭାବରୁ ତାହା ଖତ ଖାଉଥିବା ବେଳେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଜୈବ ନିୟନ୍ତ୍ରଣ ଗବେଷଣାଗାର ବାସ୍ତବ ରୂପ ନେଇପାରିବ ନା ଏହି ପ୍ରକଳ୍ପ ମଧ୍ୟ କୋଠା ଓ ଯନ୍ତ୍ରପାତିରେ ସୀମିତ ରହିବ ବେଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶ ଥାଉକି ଚାଷରେ ବିଭିନ୍ନ ପ୍ରକାର ରୋଗପୋକକୁ ଦମନ କରିବା ପାଇଁ ଚାଷୀ ବ୍ୟବହାର କରୁଥିବା କୀଟନାଶକ ଗୁଡିକ ମଧ୍ୟରୁ ଅନେକ ନକଲି ବୋଲି ଚାଷୀ ଅଭିଯୋଗ କରିଥାନ୍ତି।

ସରକାରୀ ଭାବେ ଚାଷୀଙ୍କୁ ଆବଶ୍ୟକ କୀଟନାଶକ ପାଇବାରେ ସମସ୍ୟା ହେଉଥିବାରୁ ଚାଷୀ ବଜାରରେ ମିଳୁଥିବା କୀଟନାଶକ ଉପରେ ନିର୍ଭର କରିଥାଏ। ବ୍ୟାପକ ଚାହିଦା ଥିବାରୁ ଅନେକ କମ୍ପାନୀ ଚାଷୀଙ୍କ ସରଳତାର ସୁଯୋଗ ନେଇ ବଜାରରେ ଡିଲରଙ୍କ ମାଧ୍ୟମରେ ନକଲି କୀଟନାଶକ ବିକ୍ରି କରି କୋଟି କୋଟି ଟଙ୍କା ଲାଭ ଉଠାଇଥାନ୍ତି। ନକଳି କୀଟନାଶକ ଯୋଗୁଁ ରୋଗ ପୋକ ଦମନ ହୋଇନପାରି ଫସଲ ନଷ୍ଟ ହେବା କାରଣରୁ ଅନେକ ଚାଷୀ ଆତ୍ମହତ୍ୟା ଭଳି ପଦକ୍ଷେପ ମଧ୍ୟ ନେଇଥାନ୍ତି। ଏଭଳି ସ୍ଥିତିରୁ ଚାଷୀଙ୍କ ଉଦ୍ଧାର କରିବା ସହ ବଜାରେ ଉପଳବ୍ଧ ହେଉଥିବା କୀଟନାଶକର ମାନ ପରୀକ୍ଷା କରିବାକୁ ୭ ବର୍ଷ ତଳେ ପଶ୍ଚିମ ଓଡ଼ିଶାର ଚାଷୀଙ୍କ ସୁବିଧା ପାଇଁ କୀଟନାଶକ ପରୀକ୍ଷା ପାଇଁ ରାଜ୍ୟର ଦ୍ୱିତୀୟ ପରୀକ୍ଷାଗାର ସ୍ଥାପନ ହୋଇଥିଲା।

ପରୀକ୍ଷାକେନ୍ଦ୍ର ପାଇଁ ଘର ନିର୍ମାଣ ସହ ସେଠାରେ ପ୍ରାୟ ୩୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଯନ୍ତ୍ରପାତି ଖଞ୍ଜାଯାଇଛି। କିନ୍ତୁ କର୍ମଚାରୀ ନିଯୁକ୍ତି ଦିଆଯାଇ ନାହିଁ। ଉକ୍ତ ପରୀକ୍ଷାକେନ୍ଦ୍ର କାର୍ଯ୍ୟକ୍ଷମ ହେଲେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ଚାଷୀ ଉପକୃତ ହେବା ସହ କୀଟନାଶକର ମାନକୁ ନେଇ ହେଉଥିବା ଅଭିଯୋଗ କ୍ଷେତ୍ରରେ ମଧ୍ୟ ସୁଫଳ ମିଳିପାରନ୍ତା। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ ହେଇଥିବା କୀଟନାଶକ କେନ୍ଦ୍ର ୭ ବର୍ଷ ହେଲା କାର୍ଯ୍ୟକ୍ଷମ ହୋଇପାରୁ ନଥିବା ବେଳେ ପୁଣି ୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଜୈବ ନିୟନ୍ତ୍ରଣ ଗବେଷଣା ଗାର କର୍ମଚାରୀ ଅଭାବରୁ କେବଳ କୋଠା ମଧ୍ୟରେ ସୀମିତ ରହିବ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ସମସ୍ୟା ନେଇ ଜିଲ୍ଳା କୃଷି ବିଭାଗ ଉପ ନିର୍ଦ୍ଦେଶକ ଖଗେନ୍ଦ୍ର ନାଥ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଜୈବ ନିୟନ୍ତ୍ରଣ ପରୀକ୍ଷାଗାର କୋଠା ନିର୍ମାଣ ପାଇଁ କୃଷି ଯାନ୍ତ୍ରୀକ ବିଭାଗ ପକ୍ଷରୁ ଟେଣ୍ଡର ସରିଛି। ଗବେଷଣାଗାର ପରିଚଳନା ପାଇଁ ଅଧିକାରୀ କର୍ମଚାରୀଙ୍କୁ ନିଯୁକ୍ତି ଦେବା ସରକାରଙ୍କ କାର୍ଯ୍ୟ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।