ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର

ଟିଟିଲାଗଡ଼,ଏନ୍ଏନ୍ଏସ୍: ଆଜି ଅପରାହ୍ନ ୧ଟା ସମୟରେ ଟିଟିଲାଗଡ଼ ସହର ନିକଟସ୍ଥ ଝାରଦେବନ୍ଦଠାରେ ଜଣେ ବାଇକ ଚାଳକ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛନ୍ତି। ଘଟଣାସ୍ଥଳରେ ବାଇକ ଚାଳକ ଗୁରୁତର ହୋଇ ପଡ଼ିଥିବାବେଳେ ସେହି ରାସ୍ତାରେ ଯାଉଥିବା ଯାତ୍ରୀମାନେ ଆମ୍ବୁଲାନ୍ସ ଓ ଟିଟିଲାଗଡ଼ ପୁଲିସ ଷ୍ଟେସନକୁ ସୂଚନା ଦେଇଥିଲେ। ସୂଚନା ପାଇ ଟିଟିଲାଗଡ଼ ପୁଲିସ ଷ୍ଟେସନର ଏଏସଆଇ ଖାମଶୀଙ୍ଗ ମାଝୀଙ୍କ ନେତୃତ୍ୱରେ ଏଏସଆଇ ଧର୍ମେନ୍ଦ୍ର ମାଝୀ, ଏଏସଆଇ ବୁଧିଶ୍ୟାମ ମାଝୀ, ଓଏପିଏଫ୍ ରାଜ କୁମାର ମାଝୀ, ଓଏପିଏଫ୍ ରାମ ସୁନ୍ଦର ମୁଦୁଲି ଓ ଓଏପିଏଫ୍ ଭାଗିରଥି ବାଲା ପୁଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେଉଥିବା ଦେଖି ପୁଲିସ ବାହିନୀ ନିଜ ପିସିଆରରେ ଗୁରୁତର ଆହତ ହୋଇଥିବା ରକ୍ତ ଜୁଡୁବୁଡୁ ବ୍ୟକ୍ତିଙ୍କୁ ଟିଟିଲାଗଡ଼ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ଆହତ ବ୍ୟକ୍ତିଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ହେଉଥିବା ଦେଖି ବଲାଙ୍ଗିର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆହତ ବ୍ୟକ୍ତି ଜଣକ ଚୋରମରା ଗ୍ରାମର ଦେବେନ୍ଦ୍ର ରଣା ବୋଲି ଜଣାପଡ଼ିଛି। ଦେବେନ୍ଦ୍ର କୌଣସି କାମ ପାଇଁ ଟିଟିଲାଗଡ଼କୁ ଆସି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ସୂଚନା ରହିଛି। ସୂଚନା ପାଇ ଦେବେନ୍ଦ୍ର ରଣାଙ୍କ ପରିବାରବର୍ଗ ଟିଟିଲାଗଡ଼ ଡାକ୍ତରଖାନାରେ ପହଂଚିଛନ୍ତି।