ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର

ବାଲିଗୁଡ଼ା,ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସୁନାପାଙ୍ଗାସ୍ଥିତ ସାଇ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକ ଗୁରୁତର ହୋଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଆଜି ପ୍ରାୟ ଦିନ ୧୨ଟା ସମୟରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ତେର୍ଜାକିଆ ଅଂଚଳର ଜଣେ ଯୁବକ ବାଇକ ଯୋଗେ ବାଲିଗୁଡ଼ାରୁ ନିଜ ଗାଁ ଅଭିମୁଖେ ଯିବା ସମୟରେ ସୁନାପାଙ୍ଗା ସାଇ ମନ୍ଦିର ନିକଟରେ ଏକ ବାଇକକୁ ଓଭରଟେକ୍ କରିବା ସମୟରେ ଭାରସାମ୍ୟ ହରାଇ ଆଗରେ ଯାଉଥିବା ଆଉ ଏକ ମୋଟରସାଇକେଲକୁ ପଛପଟୁ ଧକ୍କା ଦେଇଥିଲେ । ଫଳରେ ଧକ୍କା ଦେଇଥିବା ମୋଟରସାଇକେଲ ଚାଳକ ତଳେ ପଡ଼ି ଗୁରୁତର ଆହତ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଘଟଣାସ୍ଥଳରେ ବାଲିଗୁଡ଼ା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିବା ପରେ ଚାଳକ ଜଣକ ସୁରେଶ କୁମାର ଦିଗାଲ ବୋଲି ଜାଣିବାକୁ ପାଇଥିଲେ।