ବିଜେପୁର ଉପନିର୍ବାଚନ ପାଇଁ ପ୍ରଶାସନର ପ୍ରସ୍ତୁତି

ବରଗଡ଼,ଏନ୍ଏନ୍ଏସ୍: ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେଉଥିବାବେଳେ ନିର୍ବାଚନ ପାଇଁ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ତେବେ ଆଗାମୀ ୨୧ ତରିଖରେ ବିଜେପୁରରେ ଉପନିର୍ବାଚନକୁ ନିରପେକ୍ଷ ଓ ଅବାଧ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏ ନେଇ ବିଜେପୁରରେ ୨୮୫ଟି ପୁଲିଂ ବୁଥ୍ ହୋଇଛି । ଏଥି ମଧ୍ୟରୁ ପ୍ରଶାସନ ୧୩୫ଟି ବୁଥକୁ ସମ୍ବେଦନଶୀଳ ବୋଲି ଚିହ୍ନଟ କରିଛି । ଏହି ସମସ୍ତ ସମ୍ବେଦନଶୀଳ ବୁଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ୭ଟି ବୁଥରେ ୱେବ କାଷ୍ଟିଂ କରାଯିବ । ୧୪ଟି ବୁଥରେ ସିସିଟିଭି ଲଗାଯିବା ସହ ୧୬ଟି ବୁଥରେ ଭିଡିଓଗ୍ରାଫି କରିବାକୁ ନିଷ୍ପତ୍ତି ହୋଇଛି । ସେହିଭଳି ୭୭ଟି ସ୍ଥାନରେ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତ କରାଯିବ ବୋଲି ବରଗଡ଼ ଜିଲ୍ଲାପାଳ ସୂଚନା ଦିଆଯାଇଛି । ମୋଟ୍ ୨ଲକ୍ଷ ୩୨ହଜାର ୨୬୪ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ୨୪ରେ ଭୋଟ୍ ଗଣତି ଓ ୨୭ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ ।

 

ଏହି ପରିପ୍ରେକ୍ଷୀରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରୟାସ ଜୋରଦାର ହେଉଛି । ବିଜେଡି ପକ୍ଷରୁ ପ୍ରଚାର ଦାୟିତ୍ୱରେ ଥିବା ନେତା, ମନ୍ତ୍ରୀ ଆଜି ଘର ଘର ବୁଲି ପ୍ରଚାର କରୁଛନ୍ତି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ ଓ ସୁଶାନ୍ତ ସିଂହଙ୍କ ସହ ସଂଜୟ ଦାସବର୍ମା ଓ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି । ସେପଟେ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ । କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଚାର ଚଳାଇଛନ୍ତି ।