ହାଇଦ୍ରାବାଦ,ଏଜେନ୍ସି: ତେଲେଙ୍ଗାନାରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଗତ କିଛି ଦିନ ଧରି ପାର୍ଟିର ବ୍ୟବହାରରେ ଅସନ୍ତୋଷ ଥିବା କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଅଭିନେତ୍ରୀ ବିଜୟାଶାନ୍ତି ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ ସୋମବାର ବିଜେପିରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ପାର୍ଟିର ବ୍ୟବହାରରେ ଅସନ୍ତୋଷ ଥିବାରୁ ବିଜୟାଶାନ୍ତ କିଛି ମାସ ହେବ କଂଗ୍ରେସର କୌଣସି ବି କାର୍ଯ୍ୟକ୍ରମରେ ସାମିଲ ହେଉନଥିଲେ। ଏହି କାରଣରୁ ହୁଏତ ସେ ଇସ୍ତଫା ଦେଇଥିବା କୁହାଯାଉଛି।
ଅଭିନେତ୍ରୀ ବିଜୟାଶାନ୍ତି ବିଜେପିରେ ସାମିଲ୍ ହେବା ପାଇଁ ଆଜି ଦିଲ୍ଲୀ ପହଞ୍ଚିବେ, ଯେଉଁଠାରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ସାକ୍ଷାତ କରିବେ। ସୋମବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜୟାଶାନ୍ତି ବିଜେପିରେ ସାମିଲ ହେବେ। ଏଥିପାଇଁ ମଧ୍ୟ ତେଲେଙ୍ଗାନା ବିଜେପି ମୁଖ୍ୟ ସଞ୍ଜୟ କୁମାର ମଧ୍ୟ ଆଜି ହାଇଦ୍ରାବାଦରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ବିଜୟାଶାନ୍ତି ଏବେ ଦକ୍ଷିଣ ଭାରତରେ ୨ୟ ଅଭିନେତ୍ରୀ ଭାବେ ବିଜେପିରେ ସାମିଲ୍ ହେବେ। ଏହା ପୂର୍ବରୁ ତାମିଲନାଡୁରେ ଅଭିନେତ୍ରୀ ଖୁସବୁ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।