ବିଧାୟକଙ୍କ ନିଆରା ପ୍ରଦର୍ଶନ: କିଏ ସାଇକେଲରେ, ତ କିଏ ଚୁଲି ଧରି ବିଧାନସଭା ପହଞ୍ଚିଲେ

ପାଟଣା: ବିହାର ବିଧାନସଭାର ବଜେଟ ଅଧିବେସନ ଆଜିଠୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସମସ୍ୟାକୁ ନେଇ ବିରୋଧୀ ଦଳ ବିରୋଧ ପ୍ରଦର୍ଶନ କରିବା ଲାଗି ନୂଆ ଉପାୟ ଆପଣାଇଥିବା ଦେଖିବାକୁ ମିଳିଛି। ବର୍ଦ୍ଧିତ ତୈଳ ଦରକୁ ବିରୋଧ କରିବା ଲାଗି ଆରଜେଡି ବିଧାୟକ ମୁକେଶ ସୋରେନ ନିଜ ବିଧାନସଭା କ୍ଷେତ୍ର ମହୁଆରୁ ସାଇକେଲ ଯୋଗେ ବିଧାନସଭା ପହଞ୍ଚିଛନ୍ତି।

କଂଗ୍ରେସ ବିଧାୟକ ସକିଲ ଅହମ୍ମଦ ଖାନ୍ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧିକୁ ବିରୋଧ କରି ଗୋଟିଏ ହାଥରେ ଚୁଲା ଆଉ ଗୋଟେ ହାତରେ ବାଡ଼ି ଧରି ବିଧାନସଭାରେ ପହଞ୍ଚିଥିଲେ। ପୁରୁଣା ଯୁଗକୁ ଫେରିବା ବ୍ୟତୀତ ଆଉ କିଛି ଉପାୟ ନାହିଁ। ବିଜେପି ସରକାର ଲୋକଙ୍କୁ ଶାନ୍ତିରେ ବଞ୍ଚିବା ପାଇଁ ଦେଉନଥିବାରୁ ଏବେ ଲୋକେ ଚୁଲିରେ ହିଁ ରୋଷେଇ କରିବେ ବୋଲି ବିଧାୟକ କହିଛନ୍ତି।

ସେହିପରି ସିପିଆଇ, ସିପିଏମ୍ ଓ ବାମ ଦଳର ବିଧାୟକ କୃଷି ଆଇନକୁ ନେଇ ବିହାର ବିଧାନସଭା ବାହାରେ ପ୍ରଦର୍ଶନ କରିଛନ୍ତି। ବିଧାନସଭାରେ କୃଷି ଆଇନ ବିରୋଧରେ ପ୍ରସ୍ତାବ ଆଗତ କରାଯାଉ ବୋଲି ସେମାନେ ଦାବି କରିଥିଲେ। ଆଉ ସେହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କୁ ପଠାଇ ଦିଆଯାଉ। ନଚେତ୍ ଉଭୟ ବିଧାନସଭା ଭିତରେ ଓ ବାହାରେ ପ୍ରଦର୍ଶନ ଜାରି ରହିବ।