ବଲାଙ୍ଗିର ପୁଲିସକୁ ବଡ଼ ସଫଳତା…

ବଲାଙ୍ଗିର,ଏନ୍ଏନ୍ଏସ୍: ଏୟାରଟେଲ୍‌ ଅଫିସ୍‌ ଓ ମେହେର ବ୍ୟାଟେରୀ ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ପୁଲିସ। ସ୍ଥାନୀୟ ଆଦର୍ଶ ଟାଉନ୍‌ ଥାନାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଦୁଇ ଘଟଣାରେ ୪ ଜଣଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩ଟି ବାଇକ୍‌, ଦୁଇଟି ବ୍ୟାଟେରୀ, ଗୋଟିଏ ପିସ୍ତଲ ଓ ୩ଟି ଅଫୁଟା ଗୁଳି ଜବତ୍‌ କରିଛି। ଏଥିରେ ଆନ୍ତଃଜିଲ୍ଲା ତଥା ଆନ୍ତଃରାଜ୍ୟର ଲିଙ୍କ୍‌ ରହିଥିବା ସ୍ପଷ୍ଟ ହୋଇଛି। ଅପରାଧୀମାନେ ହେଲେ ବିଭୂତି ଭୂଷଣ ସୁନା ତଥା ବଣ୍ଟି (୩୪), ବୌଦ୍ଧର ଅମିତ ଝାଙ୍କର(୨୭), ବଲାଙ୍ଗିର ଜୁନ୍‌ହାଁଡିହିର ମମିଲ ମହାଲିଙ୍ଗ(୩୩) ଓ ମେଘନାଦପଡ଼ାର ମହାଦେବ ସାହୁ(୨୩)।

ସୂଚନାଯୋଗ୍ୟ ଯେ, ଗତ ୨୧ ଜାନୁଆରୀରେ ରେଲୱେ ଷ୍ଟେସନ୍‌ ରୋଡ‌ ସ୍ଥିତ ଏୟାରଟେଲ୍‌ ଅଫିସ‌ରେ ଡକାୟତି ହୋଇଥିଲା। ଏହି ଡକାୟତିରେ ପିସ୍ତଲ ଦେଖାଇ ଟେବୁଲ୍‌ ଡ୍ର’ରୁ ୪ ଲକ୍ଷ ଟଙ୍କା ଓ ୯ଟି ମୋବାଇଲ୍‌ ସହିତ ସୁନା ଚେନ୍‌ ଧରି ଡକାୟତମାନେ ଫେରାର୍‌ ହୋଇଯାଇଥିଲେ। ସେହିପରି ୧୩ ସେପ୍ଟେମ୍ବରରେ ଆଉ ଏକ ଘଟଣାରେ ରେଲୱେ ଷ୍ଟେସନ୍‌ ରୋଡ଼୍‌ ସ୍ଥିତ ମେହେର ବ୍ୟାଟେରୀରୁ ୫ ହଜାର ଟଙ୍କା, ସୁନା ଚେନ୍‌, ୩ଟି ମୋବାଇଲ ଓ ୩ଟି ବ୍ୟାଟେରୀ ଡକାୟତି ହୋଇଥିଲା। ଟାଉନ୍‌ ଥାନା ପୋଲିସ ଡକାୟତି ଘଟଣାର ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରିଥିଲା। ସନ୍ଧାନରୁ ଜଣାପଡ଼ିଥିଲା ଯେ, ଉଭୟ ଘଟଣାରେ ଅଭିଯୁକ୍ତ ମମିଲ ମହାଲିଙ୍ଗ ସଂପୃକ୍ତ ଅଛି। ସେ ଜଣେ ଆନ୍ତଃଜିଲ୍ଲା ଡକାୟତଙ୍କ ସହ ସଂପର୍କ ରଖି ଉଭୟ ଘଟଣା ଘଟାଇବାରେ ମାଷ୍ଟର୍‌ ମାଇଣ୍ଡ ଥିଲା।

ସମ୍ବଲପୁରର ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ସୁନା ସହିତ ଅଭିଯୁକ୍ତ ମମିଲର ସୁସଂପର୍କ ରହିଥିଲା। ମମିଲ ପ୍ରଥମେ ଏୟାରଟେଲ୍‌ ଅଫିସ‌ରେ କାମ କରୁଥିବାବେଳେ ବଡ଼ ବଡ଼ ଆର୍ଥ କାରବାର ସମ୍ପର୍କରେ ସୂଚନା ଦେଇ ଡକାୟତି ଘଟାଇଥିଲା। ଏହି ଡକାୟତିରେ ବଣ୍ଟି ସୁନା, ମମିଲ ମହାଲିଙ୍ଗ, ଅମିତ୍‌ ଝାଙ୍କର ସହ ଆଉ ୨ ଜଣ ବିହାରର ଆନ୍ତଃରାଜ୍ୟ ଡକାୟତ ବିକି ଓ ଲଖନଙ୍କ ମଧ୍ୟ ସଂପୃକ୍ତି ରହିଥିଲା। ପରେ ମମିଲ ମହାଲିଙ୍ଗ ପୁଣି ଯାଇ ମେହେର ବ୍ୟାଟେରୀରେ କାମ କରିବା ସହିତ ଡକାୟତି ଯୋଜନା ରଚିଥିଲା। ଏହି ଡକାୟତିରେ ବଣ୍ଟି ସୁନା, ମମିଲ ମହାଲିଙ୍ଗ, ମଙ୍ଗଲୁ ଝାଙ୍କର, ମହାଦେବ ସାହୁ ସହ ଆଉ ଦୁଇ ଜଣଙ୍କୁ ବୌଦ୍ଧରୁ ଡକା ଯାଇଥିଲା।

ମେହେର ବ୍ୟାଟେରୀରୁ ଡକାୟତି ପରେ ସମସ୍ତେ ଫେରାର୍‌ ହୋଇଯାଇଥିଲେ। ତେବେ ବଲାଙ୍ଗିରରେ ହୋଇଥିବା ଡକାୟତିରେ ଆନ୍ତଃରାଜ୍ୟ ସହ ଆନ୍ତଃଜିଲ୍ଲା ଡକାୟତ ଲିଙ୍କ୍‌ ରହିଥିବା ପୁଲିସ ତଦନ୍ତ କରି ଜାଣିବା ପରେ ସେମାନଙ୍କୁ ଗିରଫ କରିଛି।