ଦେବଗଡ଼ ପୌର ପରିଷଦରେ ମହା ଘୋଟଲା: ଅବସର ପ୍ରାପ୍ତ କର୍ମଚାରୀଙ୍କ ବକେୟା ଦରମା ଅର୍ଥ ହଡପ କରି ଆକାଉଟାଣ୍ଟ ଫେରାର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ପୌର ପରିଷଦର ଜଣେ ଅବସର ପ୍ରାପ୍ତ କର୍ମଚାରୀଙ୍କ ବକେୟା ୧୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆତ୍ମସାତ କରି ଆକାଉଟାଣ୍ଟ ଫେରାର ହୋଇଯାଇଥିବା ନେଇ ଦେବଗଡ଼ ଥାନାରେ ପୌର ପରିଷଦ ନିର୍ବାହୀ ଅଧିକାରୀ ଆତସୀ ପରିଡା ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ଦେବଗଡ଼ ପୌର ପରିଷଦରେ କଣ୍ଟ୍ରାକଚୁଆଲ କର୍ମଚାରୀ ଭାବେ ସମ୍ବଲପୁର ଜିଲ୍ଲା ବୁର୍ଲାର ରସା ନାଗଙ୍କ ପୁଅ ବିନୋଦ ନାଗ ଇନଚାର୍ଜ ଆକାଉଟାଣ୍ଟ ଭାବେ ଅବସ୍ଥାପିତ ଥିଲେ। ଗତ ୨୦୨୧ ମସିହା ନଭେମ୍ବର ମାସରେ ୫ ଲକ୍ଷ ଓ ଡିସେମ୍ବର ମାସରେ ୮ ଲକ୍ଷ ୫୦ ହଜାର ୨୦୩୪ ଟଙ୍କା ପୌର ପରିଷଦର ଅବସର ପ୍ରାପ୍ତ କର୍ମଚାରୀ ଜଗବନ୍ଧୁ ମୁଣ୍ଡାଙ୍କ ବକୟା ଦରମା ବାବଦକୁ ଦୁଇଟି ଭିନ୍ନ ଭିନ୍ନ କିସ୍ତିରେ ଟ୍ରେଜେରି ବିଲରେ ଜଗବନ୍ଧୁଙ୍କ ନାମ ଲେଖି ଭୁବନ ମୋହନ ନାଏକ ଓ ଅମୃତି ସାହୁ ନାମକ ଦୁଇଟି ଭିନ୍ନ ଭିନ୍ନ ଆକାଉଣ୍ଟକୁ ଟ୍ରେଜେରିରୁ ଟଙ୍କା ଟ୍ରାନ୍ସଫର କରିଥିଲେ।

ଏହି ଘଟଣା ଜଣା ପଡିବା ପରେ ନିର୍ବାହୀ ଅଧିକାରୀ ଏନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୌରପରିଷଦର ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ ପ୍ରାୟ ୬୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ହିସାବ ମିଳୁନଥିବା ପୌର ନିର୍ବାହୀ ଅଧିକାରୀ ପୁଲିସ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି। ଦେବଗଡ଼ ଥାନା ପୁଲିସ ଦଫା ୪୨୦ ଓ ୪୦୯ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ଘଟଣାରେ କେବଳ ଅଭିଯୁକ୍ତ ସାମିଲ ଅଛନ୍ତି ନା ଆଉ କେହି ସେ ନେଇ ପୁଲିସ ବିଭିନ୍ନ ଦିଗରେ ତଦନ୍ତ ଆରମ୍ଭ କରିଥିବା ବେଳେ ଆଗାମୀ ଦିନରେ ପୌର ପରିଷଦରେ ଚାଲିଥିବା ଦୁର୍ନୀତିର ଲମ୍ବା ତାଲିକା ବାହାରିବା ନେଇ ଆଶଙ୍କା ପ୍ରକାଶ ପାଇଛି।