ଆଜିିଠୁ ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା, ୩୦ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଲଘୁଚାପ ଜନିତ ବର୍ଷା। ପ୍ରାୟ ଅଧାରୁ ଅଧିକାଂଶ ଜିଲ୍ଲାରେ ଲଘୁଚାପର ପ୍ରଭାବ ପଡିବ। ଆସନ୍ତା ୩୦ ଯାଏଁ ରାଜ୍ୟରେ ଜାରି ରହିବ ଏହି ଲଘୁଚାପ ଜନିତ ବର୍ଷା।

ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟରେ ଆଜିଠାରୁ ଆସନ୍ତା ୩୦ ତାରିଖ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ବହୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ଆଜି ୧୩ ଟି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆସନ୍ତା କାଲି ପାଇଁ ୨୯ ଟି ଜିଲ୍ଲାକୁ ଓ ୩୦ ତାରିଖ ପାଇଁ ୧୦ ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ରାଜ୍ୟରେ ଚଳିତଥର ନିଅଣ୍ଟିଆ ମୌସୁମୀ ବର୍ଷା ହୋଇଥିବା ବେଳେ ୪ ଦିନର ଏହି ଲଗାଣ ବର୍ଷା ରାଜ୍ୟର ବର୍ଷା ଅଭାବକୁ ପୁରା କରିବ ବୋଲି ଗୋଟିଏ ପଟେ ଆଶଙ୍କା କରାଯାଉଥିବା ବେଳେ ଅନ୍ୟପଟେ କିଛି ତଳିଆ ଅଞ୍ଚଳରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି।