ସାନଭାଇଙ୍କ ଏକାଦଶାହରେ ବଡଭାଇଙ୍କ ମୃତ୍ୟୁ

ରାଜନଗର,ଏନ୍ଏନ୍ଏସ୍ : ସାନଭାଇଙ୍କ ବୁଧବାର ଏକାଦଶାହ ଥିଲା । ମଙ୍ଗଳବାର ଦଶାହ କର୍ମ ପରେ ଏକାଦଶାହ ନିମନ୍ତେ ଘରସାରା ବନ୍ଧୁ ପରିଜନ ଭିଡ ଲାଗିଥିଲା। ଏକାଦଶାହ କାର୍ଯ୍ୟ ନିମନ୍ତେ ଅଂଚଳବାସୀଙ୍କୁ ନିମନ୍ତ୍ରଣ ହୋଇଥିଲା। ମାତ୍ର ଏକାଦଶାହ ଦିନ ଭୋର ୪ଟା ୪୦ରେ ବଡଭାଇଙ୍କ ଜୀବନ ଚାଲିଯାଇଛି। ଏଳିଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ବ୍ଲକ ବ୍ରାହ୍ମଣସାହି ପଂଚାୟତ ନାଉକୋଣା ଗାଁରେ ।

ସୂଚନା ଅନୁଯାୟୀ, ନାଉକୋଣା ଗାଁର ପରିକ୍ଷିତ ମଲ୍ଲିକ (୭୨ ବର୍ଷ) ଚଳିତମାସ ୧ ତାରିଖ ଦିନ ମୃତ୍ୟୁବରଣ କରିଥିଲେ। ଗତକାଲି ପରୀକ୍ଷିତଙ୍କ ଦଶାହ କର୍ମ ସରିଥିଲା। ଆଜି ଏକାଦଶାହ କର୍ମପରେ ବ୍ରହ୍ମାଣ ଭୋଜନ ଓ ପଂକ୍ତି ଭୋଜନର ଆୟୋଜନ ହୋଇଥିଲା। ମାତ୍ର ଆଜି ଭୋର ୪ଟା ୪୦ରେ ପରିକ୍ଷୀତଙ୍କ ବଡଭାଇ ନରହରି (୭୭ବର୍ଷ) ହୃଦଘାତରେ ଟଳି ପଡିଥିଲେ। ବଡଭାଇଙ୍କ ମୃତ୍ୟୁ ଯୋଗୁଁ ପରିବାର ଲୋକେ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି। ଏହି ଘଟଣା ଅଂଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।